ଖୋର୍ଦ୍ଧା:ବାଣପୁରରେ ଅଭାବନୀୟ ଘଟଣା । ଉତ୍ତର ପ୍ରଦେଶ ଲଖୀମପୁର ଖେରୀ ଘଟଣାର ପୁନରାବୃତ୍ତି ଖୋର୍ଦ୍ଧାରେ ଘଟିଛି । ଭିଡ ଭିତରେ ଗାଡି ଚଢାଇଦେଲେ ବିବାଦୀୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୭ ଜଣ ପୋଲିସକର୍ମୀ ଥିବାବେଳେ ୨ ସାମ୍ବାଦିକ ଓ ବିଭିନ୍ନ ଦଳର କର୍ମୀ ରହିଛନ୍ତି ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ବ୍ୟାପୁଥିବା ବେଳେ ଲୋକଙ୍କ ଆକ୍ରୋଶରୁ ବର୍ତ୍ତି ନାହାଁନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ଲୋକେ ବିଧାୟକଙ୍କୁ ମଧ୍ୟ ଗାଡିରୁ ଟାଣି ଆଣି ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଘଟଣାରେ ଆହତ ସମସ୍ତଙ୍କୁ ସ୍ଥାନୀୟ ମେଡିକାଲ ସମେତ ଭୁବନେଶ୍ବରରୁ ବିଭିନ୍ନ ହସ୍ପିଟାଲରେ ଭର୍ତି କରାଯାଇଛି ।
ଘଟଣାକୁ ନେଇ ରାଜନୀତି ବଢିବା ସହ ବିଜେଡି ବିଜେପି ମୁହାଁମୁହିଁ ସ୍ଥିତିକୁ ଆସିଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଘଟଣାର ନିନ୍ଦା କରିବା ସହ ଆହତ ଲୋକଙ୍କ ଓ ପୋଲିସ କର୍ମଚାରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ନୀରିହ ଜନତା ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରୋଶମୂଳକ ଭାବେ ଗାଡି ଚଢାଇଦେବା ଘଟଣାର ଦୃଶ୍ୟ ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ। ଜଣେ ବିଧାୟକ ଅମାନୁଷିକ ଭାବରେ ସର୍ବସାଧାରଣରେ ଜନତା ଓ ପୋଲିସ କର୍ମଚାରୀଙ୍କ ଉପରେ ନିଜେ ଗାଡି ଚଲାଇ ଗାଡି ଚଢାଇବା ସମ୍ଭବତଃ ଓଡିଶାରେ ପ୍ରଥମ । ଏହି ଘଟଣାକୁ ଯେତେ କଡା ଶବ୍ଦରେ କହିଲେ ବି କମ ହେବ । ରାଜ୍ୟ ପ୍ରଶାସନ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତୁରନ୍ତ ଦୃଢରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଧର୍ମେନ୍ଦ୍ର ଦାବି କରିଛନ୍ତି ।