ଭୁବନେଶ୍ବର: ଆଉ କିଛି ଦିନ ପରେ ପୂଜା ପାଇବେ ବିଘ୍ନବିନାଶକ ଗଣେଶ । ଏହା ପରେ ପରେ ଆରମ୍ଭ ହେବ ପାର୍ବଣ ଋତୁ । ହେଲେ ଏହା ପୂର୍ବରୁ ରାଜଧାନୀରେ ମାତିଲେଣି ଚୋର । କାହାର ଘରେ ପଶିଲେଣି ତ କାହାର ଗ୍ରୀଲ ଓ କବାଡ଼ ତାଡି ଚୋରି କଲେଣି । ଏପରିକି ଘର ବାହାରୁ ପାଣି ମିଟରଠୁ ଆରମ୍ଭ କରି ଘରର ଏସି ତାର ବି ଛାଡୁନଥିବା ଦେଖିବାକୁ ମିଳିଛି ।
ଦୁର୍ବୃତ୍ତମାନେ ମୁହଁ ଓ ଦେହକୁ ଘୋଡ଼ାଇ ଘରେ ପଶି ଚୋରି କରୁଛନ୍ତି । ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଏଭଳି ଘଟଣା ସାମନାକୁ ଆସିଥିବା ବେଳେ ଗତ ୨୬ ତାରିଖ ରାତିରେ ଲକ୍ଷ୍ମୀସାଗର ଥାନା ଓସ୍କାର ସିଟିରୁ ସିରିଜ ଚୋରି କରିଛନ୍ତି ଚୋର । ଘର ବାହାରେ ଲାଗୁଥିବା ଓ୍ବାଟକୋର ପାଣି ମିଟରକୁ ଚୋରି କରି ନେଉଛନ୍ତି । ଏପରିକି ଜଣେ କି ୨ ଜଣ ନୁହେଁ ଏକାଧିକ ଲୋକଙ୍କ ଘରେ ମିଟର ଲାଗିବାର ୬ ଦିନ ନ ପୁରୁଣୁ ଏଭଳି ଆତଙ୍କ ଖେଳାଇଛନ୍ତି ଚୋର । ଚୋରି ସମୟର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ପୂଜା ପୂର୍ବରୁ ମାତିଲେଣି ଚୋର ଏହା ବି ପଢନ୍ତୁ- ପାରାଦ୍ୱୀପରେ ଚାଞ୍ଚଲ୍ୟ, ଆଶାକର୍ମୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ମୁଖ୍ୟ ଅଭିଯୁକ୍ତ ଅଟକ
ଏହାକୁ ନେଇ ଓସ୍କାର ସିଟି ସୋସାଇଟିରେ ବୈଠକ କରିଛନ୍ତି ସଚେତନ ନାଗରିକ । ଏନେଇ ପୋଲିସର ଦୃଷ୍ଟି ଆକର୍ଷଣ ପାଇ ଏକ ଟିମ ଥାନାଧିକାରୀଙ୍କୁ ଭେଟି ସମାଧାନ ପାଇଁ କହିଛନ୍ତି । ସୋସାଇଟିର ସଭାପତି ଦେବେନ୍ଦ୍ର ମହାପାତ୍ର କହିଛନ୍ତି, " ଆଗକୁ ପାର୍ବଣ ଋତୁ ଆସୁଛି । ତେବେ ଲୋକେ ଛୁଟିରେ ମଧ୍ୟ ରହିବେ ଚୋରଙ୍କ ଏପରି ପ୍ରାଦୁର୍ଭାବ ବଢିଲେ ଲୋକେ ଅସୁରକ୍ଷିତ ଅନୁଭବ କରିବେ । ଏନେଇ ପାଟ୍ରୋଲିଂ କଡାକଡି କରାଯାଉ ।"
ସେପଟେ କେବଳ ଏହି ଅଞ୍ଚଳ ନୁହେଁ ବଡ଼ଗଡ଼ ଥାନା ଅଞ୍ଚଳର ପତିତପାବନ ନଗର, ସହିଦନଗରର ଜଗନ୍ନାଥ ନଗର, ମଞ୍ଚେଶ୍ବରର ଜିଜିପି କଲୋନୀ ସମେତ ଅଞ୍ଚଳରେ ଏଭଳି ନିତିଦିନ ଚୋରି ହେଉଥିବାର ଅଭିଯୋଗ ଆସୁଛି । ସେହିପରି ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ ମଧ୍ୟ ୨ଦିନ ତଳେ ୪ଜଣ ଚୋର ଘରେ ପଶୁଥିବାର ସିସିଟିଭିରେ କଏଦ ହୋଇଥିଲା । ପ୍ରତିବର୍ଷ ପାର୍ବଣ ଋତୁରେ ରାଜଧାନୀରେ ଏଭଳି ଘଟଣା ସାମନାକୁ ଆସୁଛି । ତେବେ ଚଳିତ ବର୍ଷ ଏ ଦିଗରେ ପୋଲିସ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, ଭୁବନେଶ୍ବର