ଓଡିଶା

odisha

ETV Bharat / city

Minor Flood Anticipated: ମହାନଦୀରେ ଆସୁଛି ବନ୍ୟା, ମୁକାବିଲା ପାଇଁ କେତେ ପ୍ରସ୍ତୁତ ସରକାର ?

ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଉ ଆଜି ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଇ ଜଳ ନିଷ୍କାସନ ହେଉଛି । ସମୁଦାୟ 34 ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ଯାଜପୁରରେ ବନ୍ୟା ସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 13, 2022, 10:00 PM IST

Updated : Aug 13, 2022, 10:50 PM IST

ଭୁବନେଶ୍ବର: ଛତିଶଗଡରେ ଉଛୁଳୁଛି ମହାନଦୀ (Mahanadi Rivers) । ଓଡିଶାରେ ହୋଇପାରେ ଛୋଟ ଧରଣର ବନ୍ୟା (Minor Flood Anticipated In Mahanadi ) । ଏଭଳି ଆଶଙ୍କା କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର (Chief Engineer Vijay Mishra) । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଆସନ୍ତାକାଲି ସକାଳ ୮ଟା ବେଳେ ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ । ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ବର୍ତ୍ତମାନ ସୁଦ୍ଧା ହୀରାକୁଦରେ 34 ଟି ଗେଟ ଖୋଲାଯାଇଥିବା ବେଳେ ଆଗକୁ ଏହା ବଢିପାରେ ।

ଛତିଶଗଡ଼ରେ ବନ୍ୟା, ଗମ୍ଭୀର ହେବ କି ଓଡିଶାର ସ୍ଥିତି

ଛତିଶଗଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ ଜଳସ୍ତର ନିୟନ୍ତ୍ରଣରେ ରଖିବା ପାଇଁ ଆଉ ଆଜି ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଇ ଜଳ ନିଷ୍କାସନ ହେଉଛି । ମଧ୍ୟାହ୍ନରେ ୪ଟି, ଅପରାହ୍ନରେ ୪ଟି, ସନ୍ଧ୍ୟାରେ ୨ଟି ଓ ବିଳମ୍ବିତ ସନ୍ଧ୍ୟାରେ ୪ଟି ଗେଟ ମାଧ୍ୟାମରେ ଜଳ ନିଷ୍କାସନ ହେଉଛି । ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷନ ୬୬ ହଜାର ୧୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣରେ ଜଳ ନିଷ୍କାସନ ପାୱାର ଚ୍ୟାନେଲ ଓ ମହାନଦୀକୁ ନିଷ୍କାସିତ ହେଉଛି । ହୀରାକୁଦର 34 ଗେଟ ଖୋଲିବା ଓ ବର୍ଷା ଲାଗି ରହିଥିବା କାରଣରୁ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବା ସବ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

ଏପଟେ ବୈତରଣୀ ଓ ଜଳକା ଦୁଇଟି ସ୍ଥାନରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ପାଣି । ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବୈତରଣୀର ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ଏହା ୧୭.୮୮ ମିଟରରେ ପ୍ରବାହିତ ହେଉଛି । ମଥାନୀରେ ଜଳକାର ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ବର୍ତ୍ତମାନ ଏହା ୬.୦୨ମିଟରରେ ପ୍ରବାହିତ ହେଉଛି। ଏହାବାଦ ଖଇରମାଳ ଠାରେ ମହାନଦୀର ବିପଦ ସଙ୍କେତ ୧୦୯ ମିଟର ଥିବାବେଳେ ଏଠାରେ ୧୦୪. ମିଟରରୁ ଅଧିକ ରହିଛି ।

ସେପଟେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ପରବର୍ତ୍ତୀ ୧୨ ଘଣ୍ଟାରେ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତ ପରିଣତ ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦଶକ କହିଛନ୍ତି । ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଲଗାଣ ବର୍ଷା କାରଣରୁ ନଦୀକୂଳିଆ ଅଞ୍ଚଳର ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି । ମହାନଦୀ ଫୁଲିବା ସହ ଶାଖା ନଦୀରେ ରିଭର କର୍ପ ହେବାରୁ ଏବେ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ସମ୍ବଲପୁର-ସୋନପୁର, ବୀରମହାରାଜପୁର-ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି । ବୌଦ୍ଧର ତଳିଆ ଅଞ୍ଚଳରେ ପାଣି ପଶିବା ଆରମ୍ଭ କରିଛି । ବୈତରଣୀ ଫୁଲିବା ପରେ ଯାଜପୁର ଜିଲ୍ଲାର ବିଭିନ୍ନ ତଳି ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଉତ୍ପନ୍ନ ହୋଇଛି ।

ଅନ୍ୟପଟେ ରାଜ୍ୟରେ ବନ୍ୟା ସ୍ଥିତି ଦେଖି ଜଳ ସମ୍ପଦ ବିଭାଗ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଏହା ସହ 8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ପୁରୀ ପାଇଁ ଇଞ୍ଜିନିୟର ଚିନ୍ମୟ ରଞ୍ଜନ ରାଉତ, ଜଗତସିଂହପୁର ଦାୟିତ୍ବରେ ଇଞ୍ଜିନିୟର ବିଜୟ କୁମାର ସାମଲ, କଟକ ଦାୟିତ୍ବରେ ଇଞ୍ଜିନିୟର ବଳେଶ୍ବର ନାଥ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । କେନ୍ଦ୍ରାପଡ଼ା ଦାୟିତ୍ବରେ ଇଞ୍ଜିନିୟର ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ଦାୟିତ୍ବରେ ଇଞ୍ଜିନିୟର ଧନେଶ୍ବର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ଦାୟିତ୍ବରେ ବିଘ୍ନରାଜ ପୁରୋହିତ ରହିଛନ୍ତି । 8 ଜିଲ୍ଲାକୁ ଯାଇ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ସଂପୃକ୍ତି ଜିଲ୍ଲାକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରର ଅଧିକାରୀଙ୍କ ସହ ସମନ୍ଵୟ ରଖି କାର୍ଯ୍ୟ କରିବେ ଏହି ଅଧିକାରୀ । ଆବଶ୍ୟକତା ଅନୁସାରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 13, 2022, 10:50 PM IST

ABOUT THE AUTHOR

...view details