ଭୁବନେଶ୍ବର: ବିଦ୍ୟୁତ୍ ସଂସ୍କାର ପାଇଁ ଓଡ଼ିଶାକୁ ୨୦୨୧-୨୨ରେ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଓଡ଼ିଶା ସମେତ ଦେଶର ୧୦ଟି ରାଜ୍ୟକୁ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ପାଇଁ ଅତିରିକ୍ତ ୨୮ ହଜାର ୨୦୪ କୋଟି ଟଙ୍କାର ଋଣ ଉଠାଣ ପାଇଁ ଅନୁମତି ମିଳିଛି । ଏନେଇ ମଞ୍ଜୁରୀ ଦେଇଛନ୍ତି ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ।
ତେବେ ବିଦ୍ୟୁତ୍ କ୍ଷେତ୍ରରେ ବିଭିନ୍ନ ରାଜ୍ୟମାନଙ୍କ ପକ୍ଷରୁ କରାଯାଇଥିବା ସଂସ୍କାରକୁ ଆଧାର କରି ୨୦୨୧-୨୨ ଆର୍ଥିକ ବର୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ପ୍ରତି ବର୍ଷ ରାଜ୍ୟ ଜିଡିପିର ୦.୫ ପ୍ରତିଶତ ଅତିରିକ୍ତ ଋଣ ଉଠାଣ ଲାଗି ଅନୁମତି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ପଞ୍ଚଦଶ ଅର୍ଥ ଆୟୋଗଙ୍କ ସୁପାରିସକୁ ଆଧାର କରି ଏହି ମଞ୍ଜୁରି ଦେବାକୁ ମନ୍ତ୍ରଣାଳୟ ନିଷ୍ପତ୍ତି ଗ୍ରହଣ କରିଛି । କେନ୍ଦ୍ର ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ ଭାଷଣରେ ଏ ସମ୍ପର୍କରେ ଘୋଷଣା କରିଥିଲେ ।
ସେହିପରି ବିଦ୍ୟୁତ କ୍ଷେତ୍ରରେ ପରିଚାଳନା ଏବଂ ଆର୍ଥିକ ଦକ୍ଷତାରେ ସୁଧାର ଆଣିବା ସହିତ ଦେୟ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଦୀର୍ଘସ୍ଥାୟୀ ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଲାଗି ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ପାଇଁ ଅନୁମତି ଦେବାକୁ ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ କ୍ଷେତ୍ରରେ ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଉଠାଣ ପାଇଁ ଅନୁମତି ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଜୁନ ୯ ୨୦୨୧ରେ ଅର୍ଥ ମନ୍ତ୍ରଣାଳୟ ବ୍ୟୟ ବିଭାଗ ପକ୍ଷରୁ ଆବଶ୍ୟକ ବିସ୍ତୃତ ମାର୍ଗଦର୍ଶିକା ଏବଂ ନିୟମାବଳୀ ଜାରି କରାଯାଇଛି ।