ଓଡିଶା

odisha

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ରଣେନ୍ଦ୍ର, ଧାନର ବକେୟା ସବସିଡି ଦେବାକୁ ଦାବି

By

Published : Dec 11, 2019, 8:53 PM IST

ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ ପାଇଁ ବୁଧବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାଶୱାନ୍‌ଙ୍କୁ ସାକ୍ଷାତ କରିଛନ୍ତି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ପାର୍ଲିଆମେଣ୍ଟସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିବା ସହ ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

minister ranendra pratap swain
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ରଣେନ୍ଦ୍ର, ଧାନର ବକେୟା ସବସିଡି ଦେବାକୁ ଦାବି

ଭୁବନେଶ୍ବର: ରାଜ୍ୟକୁ ଧାନ ସଂଗ୍ରହ ବାବଦରେ ବକେୟା ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ ପାଇଁ ବୁଧବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମବିଳାସ ପାଶୱାନ୍‌ଙ୍କୁ ସାକ୍ଷାତ କରିଛନ୍ତି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପାର୍ଲିଆମେଣ୍ଟସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ତାଙ୍କୁ ଭେଟିବା ସହ ଏନେଇ ଏକ ପତ୍ର ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ବାରା ଧାନସଂଗ୍ରହର ସବ୍‌ସିଡି ଅର୍ଥ ବକେୟା ବାବଦକୁ 2019-20 ଆର୍ଥିକ ବର୍ଷରେ ରାଜ୍ୟ ସରକାରଙ୍କ ପ୍ରମୁଖ ଧାନ ସଂଗ୍ରହକାରୀ ସଂସ୍ଥା ଓଡିଶା ରାଜ୍ୟ ଯୋଗାଣ ନିଗମକୁ 2066 କୋଟି ଟଙ୍କା ପାଇବାକୁ ଅଛି । ଏଥି ସହିତ 2019 ବର୍ଷରେ ଡିସେମ୍ବର 31 ତ୍ରୈମାସରେ ଅଗ୍ରୀମ ସବ୍‌ସିଡି ବାବଦରେ ରାଜ୍ୟକୁ 1340 କୋଟି ଟଙ୍କା ମିଳିବାକୁ ଅଛି । ରାଜ୍ୟ ସରକାର ଅର୍ଥର ବିନିଯୋଗ ପ୍ରମାଣପତ୍ର ନିୟମିତ ଦାଖଲ କରୁଥିଲେ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢିଚାଲିଛି ବୋଲି ମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୁଧ ବାବଦ ଅର୍ଥକୁ ମଧ୍ୟ କେନ୍ଦ୍ର ସରକାର ଭରଣା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ରଣେନ୍ଦ୍ର, ଧାନର ବକେୟା ସବସିଡି ଦେବାକୁ ଦାବି

ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ସହିତ ରାଜ୍ୟ ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର 2015 ଅକ୍ଟୋବର 3 ତାରିଖରେ ହୋଇଥିବା ବୁଝାମଣା ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଧାନ ସଂଗ୍ରହ ବାବଦକୁ କୌଣସି ଆର୍ଥିକ ବୋଝ ନେବାକୁ ପଡିବ ନାହିଁ। ଧାନ ସଂଗ୍ରହ ପାଇଁ ଯେଉଁ ଅର୍ଥ ବ୍ୟୟ ହେବ, ତାହା ଆଗୁଆ ହିସାବ କରାଯାଇ ପ୍ରତି 3 ମାସର ପ୍ରଥମ ମାସରେ 90 ପ୍ରତିଶତ ଅର୍ଥ ସବ୍‌ସିଡି ଆକାରରେ କେନ୍ଦ୍ର ସରକାର ପ୍ରଦାନ କରିବେ । ପରବର୍ତ୍ତୀ ସମୟରେ ଅଗ୍ରୀମ ଅର୍ଥକୁ ବାଦ ଦିଆଯାଇ ପ୍ରୋଭିଜନାଲ୍‌ ସବ୍‌ସିଡି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରାଯିବ। ମାତ୍ର କେନ୍ଦ୍ର ସରକାର ସବ୍‌ସିଡି ଅର୍ଥ ପ୍ରଦାନରେ ଅହେତୁକ ବିଳମ୍ବ କରୁଥିବାରୁ ଧାନ ସଂଗ୍ରହକାରୀ ସଂସ୍ଥା ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଅଗ୍ରୀମ ଓ ପ୍ରୋଭିଜନାଲ୍‌ ସବ୍‌ସିଡି ଅର୍ଥ ନିୟମିତ ଭାବେ ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ ଦାବି ଜଣାଇଛନ୍ତି।

ସେହିପରି ରାଜ୍ୟ ବର୍ଷକୁ ପ୍ରାୟ 24 ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଆବଶ୍ୟକ କରୁଥିବାବେଳେ ବଳକା ଚାଉଳ କେନ୍ଦ୍ର ଭଣ୍ଡାରକୁ ପ୍ରଦାନ କରାଯାଇଥାଏ । ବିଗତ ଖରିଫ୍‌ ବର୍ଷରେ ଭାରତୀୟ ଖାଦ୍ୟ ନିଗମ 17.84 ଲକ୍ଷ ମେଟ୍ରିକ୍‌ ଟନ୍‌ ବଳକା ଚାଉଳ ରାଜ୍ୟରୁ ସଂଗ୍ରହ କରିବାବେଳେ ଚଳିତ ବର୍ଷ ରାଜ୍ୟରେ ରେକର୍ଡ ପରିମାଣର ଧାନ ସଂଗ୍ରହ ହେବା ଆଶା କରାଯାଉଥିବା ଦୃଷ୍ଟିରୁ ଭାରତୀୟ ଖାଦ୍ୟ ନିଗମ ଦ୍ବାରା ଶୀଘ୍ର ଓ ଠିକ୍‌ ସମୟରେ ବଳକା ଚାଉଳ ଉଠାଣ ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କ ଦ୍ବାରା ଖାଉଟି ସୁରକ୍ଷା ଆଇନ-2019 ପ୍ରଣୟନ କରାଯାଇଥିବା ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମାବଳୀ ପ୍ରସ୍ତୁତ ସମୟରେ ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନ ଏବଂ ଜିଲ୍ଲା ଖାଉଟି ବିବାଦ ସମାଧାନ ଫୋରମ୍‌ର ସଭାପତି ଏବଂ ସଭ୍ୟଙ୍କ ଦରମା ଓ ଭତ୍ତା ବାବଦକୁ ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ବାରା ବହନ କରାଯିବାର ବ୍ୟବସ୍ଥା ରଖିବା ପାଇଁ ମନ୍ତ୍ରୀ ପତ୍ର ମାଧ୍ୟମରେ ଜଣାଇଛନ୍ତି । ସେହିପରି ରାଜ୍ୟକୁ ଅଧିକ ପିଆଜ କିପରି ଯୋଗାଣ ହୋଇପାରିବ ସେ ସମ୍ପର୍କରେ ମଧ୍ୟ ଅନୁରୋଧ କରିଥିବା ଜଣାପଡିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details