ଓଡିଶା

odisha

ETV Bharat / city

ରାତ୍ରୀ ସମୟରେ ଆଶ୍ରୟକୁ ଗୁରୁତ୍ୱ; ସହରାଞ୍ଚଳ ବାସହୀନଙ୍କ ଯତ୍ନ ନେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ - ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା

ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Minister of Urban Development has instructed to take care of the homeless in town area
ସହରାଞ୍ଚଳର ବାସହୀନଙ୍କ ଯତ୍ନ ନେବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

By

Published : Nov 6, 2021, 10:25 PM IST

ଭୁବନେଶ୍ବର: ଶୀତ ଆସିଲେ ବାସହୀନଙ୍କ ସମସ୍ୟା ବଢିଯାଏ । ଶୀତୁଆ ରାତିରେ ଛାତ ନଥିଲେ ଅବସ୍ଥା ବେହାଲ । ସହରାଞ୍ଚଳରେ ରହୁଥିବା ବାସହୀନ ଲୋକେ ଯେଭଳି ଶୀତରାତିରେ ହଇରାଣ ହରକତ ନହୁଅନ୍ତି ତାହା ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏ ସଂକ୍ରାନ୍ତରେ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା (ସୁଡା) ଜିଲ୍ଲାପାଳମାନଙ୍କୁ କହିଥିବାବେଳେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ସହରାଞ୍ଚଳରେ ୧୩ ହଜାରରୁ ଅଧିକ ଘର ଦ୍ୱାର ନଥିବା ବ୍ୟକ୍ତି ରହିଛନ୍ତି । ଏମାନଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଲୋକଙ୍କର ସ୍ଥାୟୀ ଭାବେ ଘରଦ୍ୱାର ନଥିବା ଜଣାଯାଇଛି । ରାଜ୍ୟର ୧୧୪ ପୌରାଞ୍ଚଳରେ ଦୁଇଟି ସଂସ୍ଥା ଦ୍ୱାରା ବାସହୀନମାନଙ୍କର ସର୍ବେକ୍ଷଣ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ କେନ୍ଦ୍ରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ଦଶଟି ଜିଲ୍ଲାରେ ସର୍ବାଧିକ ୭୯୧୧ ବାସହୀନ ଥିବାବେଳେ ଉତ୍ତରାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଆସୁଥିବା ଜିଲ୍ଲାଗୁଡିକରେ ୧୦୮୦ ବାସହୀନ ଏବଂ ଦକ୍ଷିଣାଞ୍ଚଳ ରାଜସ୍ୱ ପାର୍ଷଦଙ୍କ ଅଧିନରେ ଥିବା ୧୦ଟି ଜିଲ୍ଲାରେ ୪୬୬୦ ବାସହୀନ ରହିଛନ୍ତି ।



ତେବେ ମୋଟ୍‍ ୧୩,୬୫୧ ବାସହୀନଙ୍କ ମଧ୍ୟରୁ ୯୦୯ ଜଣ ଅସ୍ଥାୟୀଭାବେ ବାସହୀନ ଅଟନ୍ତି । ବିଭିନ୍ନ ଋତୁରେ ଏମାନେ କାମ ଅନ୍ୱେଷଣରେ ସହରାଞ୍ଚଳକୁ ଆସୁଥିବା ସମୟରେ ହିଁ ରହିବାପାଇଁ ଘରଟିଏ ପାଇନଥାନ୍ତି । ଏହି ବାସହୀନମାନେ ବିଶେଷକରି ଶ୍ରମିକ ଶ୍ରେଣୀର ହୋଇଥିବାରୁ ଦିନ ସାରା ଖଟି ଖଟି ରାତିରେ ସହରର ଏଣେ ତେଣେ ଶୋଇ ପଡିଥାନ୍ତି । ଏହିଭଳି ବାସହୀନଙ୍କ ପାଇଁ ସହରାଞ୍ଚଳରେ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଇତି ମଧ୍ୟରେ ଶୀତଦିନରେ ବାସହୀନମାନେ ଯେଭଳି ରାତ୍ରୀ ସମୟରେ ବାହାରେ ନଶୁଅନ୍ତି କିମ୍ବା କଷ୍ଟ ନପଆନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ସୁଡା ପକ୍ଷରୁ ଜିଲ୍ଲା ପ୍ରଶାସନମାନଙ୍କୁ କୁହାଯାଇଛି ।



ବାସହୀନ ଲୋକେ ଯେଭଳି ରାତ୍ରୀ ସମୟରେ ଭଲରେ ଶୋଇ ପାରିବେ ସେଥିପାଇଁ ଆଶ୍ରୟସ୍ଥଳ ପ୍ରସ୍ତୁତ ସହିତ ସେଠାରେ ଅନ୍ୟାନ୍ୟ ସୁବିଧା ସୁଯୋଗର ବନ୍ଦୋବସ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଛି । ତେବେ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ପୌର ପ୍ରଶାସନଗୁଡିକ ଅଧିକ ତତ୍ପର ହେବା ସଂଗେ ସଂଗେ ସହରାଞ୍ଚଳରେ ରାତ୍ରୀ ସମୟରେ ବାହାରେ ଆଶ୍ରୟ ନେଉଥିବା ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଆଣିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ଯେଉଁଠାରେ ସରକାରୀ ଆଶ୍ରୟସ୍ଥଳ ନାହିଁ ବା ଆଶୟସ୍ଥଳରେ ରାତ୍ରୀଯାପନ ଲାଗି ସୁବିଧା ସୁଯୋଗ ନାହିଁ ସେଠାରେ ତୁରନ୍ତ ଅସ୍ଥାୟୀ ଆଶ୍ରୟସ୍ଥଳ ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଉପଲବ୍ଧ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details