ଭୁବନେଶ୍ବର: ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ଭୁବନେଶ୍ବର ଘାଟିକିଆସ୍ଥିତ ବନପାଳ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଅଚାନକ ପରିଦର୍ଶନରେ ଯାଇ ବିଭିନ୍ନ ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ବନପାଳ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟର ୨୧ଟି ବିଭିନ୍ନ ବନଖଣ୍ଡରୁ ଆସି ୪୧ ଜଣ ପ୍ରଶିକ୍ଷଣ ନେଉଛନ୍ତି । ମନ୍ତ୍ରୀ ଶ୍ରେଣୀ ଗୃହରେ ପହଞ୍ଚି ପ୍ରଶିକ୍ଷାର୍ଥୀଙ୍କ ମତବିନିମୟ କରିଛନ୍ତି । ସେମାନଙ୍କ ପ୍ରଶିକ୍ଷଣ ବାବଦରେ ରହିଥିବା ସୁବିଧା-ଅସୁବିଧା, ପାଠ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ ଇତ୍ୟାଦି ବିଷୟରେ ପଚାରି ବୁଝିଛନ୍ତି । ମନ୍ତ୍ରୀ ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଆଗାମୀ ଦିନରେ ଅଧିକ ଯତ୍ନବାନ ହେବାକୁ ସେ ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପରେ ମନ୍ତ୍ରୀ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ ରାଜ୍ୟର ୧୪ଟି ବନଖଣ୍ଡରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବନ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପଚାରି ବୁଝିଛନ୍ତି । ଏହା ସହ ଭିତରକନିକା ଅଭୟାରଣ୍ୟରେ କାର୍ଯ୍ୟକାରୀ ହେଉଥିବା ଭିତରକନିକାର ପରିବେଶିକ ଅବସ୍ଥା ସଂପର୍କିତ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆମ ଜଙ୍ଗଲ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ସହଭାଗିତା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।
ଆଗାମୀ ଦିନରେ ଏହାର ପରିସରକୁ ଆହୁରି ବ୍ୟାପକ କରିବା ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଜଙ୍ଗଲ ପରିଚାଳନା ଏବଂ ଏହାର ଅଭିବୃଦ୍ଧିରେ ବନସୁରକ୍ଷା ସମିତି ରାଜ୍ୟରେ କିଭଳି ଭାବେ କାର୍ଯ୍ୟକରୁଛି ଏବଂ ଏହାର ଉପଯୁକ୍ତ ତଦାରଖ ପାଇଁ ପ୍ରକଳ୍ପ ନିର୍ଦ୍ଦେଶିକା ନିୟମିତ କ୍ଷେତ୍ର ପରିଦର୍ଶନରେ ଯିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ