ଭୁବନେଶ୍ବର: ରାଜ୍ୟରେ ଜାରୀ ରହିଛି ଗ୍ରୀଷ୍ମ ପ୍ରବାହ । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଅ ଏବଂ ଜନସାଧାରଣ ଯେପରି ପାନୀୟ ଜଳ ସମସ୍ୟାର ସମ୍ମୁଖିନ ନହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ପଞ୍ଚାୟତିରାଜ ଏବଂ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ପିଡି ଡିଆର୍ଡିଏ, ବିଡିଓ ଏବଂ ଅନ୍ୟାନ୍ୟ ସଂପୃକ୍ତ ପଦାଧିକାରୀମାନଙ୍କ ସହ ଗ୍ରାମାଞ୍ଚଳରେ ପାନୀୟ ଜଳ ସମସ୍ୟା ସଂପର୍କରେ ସମୀକ୍ଷା କରିଛନ୍ତି ।
ଗ୍ରାମାଞ୍ଚଳ ମାନଙ୍କରେ ଥିବା ଅଚଳ ନଳକୂପ ଗୁଡିକୁ ତୁରନ୍ତ କାର୍ଯ୍ୟକ୍ଷମ କର । ନଳକୂପ ଖରାପ ହେବାର ଖବର ବା ଅଭିଯୋଗ ପାଇବା ମାତ୍ରେ ତୁରନ୍ତ ଭ୍ରାମ୍ୟମାଣ ମରାମତି ବ୍ୟବସ୍ଥା ମାଧ୍ୟମରେ ସେ ସବୁକୁ ଠିକ୍ କର । ଏ ନେଇ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି ନଳକୂ ମରାମତି ହେବା ଅବସ୍ଥାରେ ନାହିଁ, ତାହା ହେଲେ ସେହି ସବୁ ସ୍ଥାନରେ ନୂତନ ନଳକୂପ ବ୍ୟବସ୍ଥା କରାଯିବ । ଏ ନେଇ ବିଭାଗ ତରଫରୁ ପଠା ଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ କହିଛନ୍ତି ।