ଭୁବନେଶ୍ବର:ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ପରେ ସେହି ସ୍କୁଲର ନିର୍ମାଣଧିନ ଷ୍ଟାଡିୟମରୁ ତାଙ୍କର ମୃତଦେହ ଉଦ୍ଧାର ଘଟଣା ପରେ ବିବାଦ ଘେରକୁ ଆସି ଯାଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଘଟଣାରେ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ସମ୍ପୃ୍କ୍ତି ଦାବି କରି ବିରୋଧୀ ହଲ୍ଲାବୋଲ ରଚିବାରେ ଲାଗିଛନ୍ତି । ଯାହାକୁ ନେଇ ଏବେ ସରକାର ବ୍ୟାକଫୁଟରେ । ଘଟଣା ଧୀରେ ଧୀରେ ବିସ୍ଫୋରକ ହେଉଥିବା ବେଳେ ମନ୍ତ୍ରୀଙ୍କ ପକ୍ଷ ଛେଦନ ପାଇଁ ମଧ୍ୟ ପାୱାର କରିଡର ଗୋଟିଏ ଗୋଷ୍ଠୀ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
ବିରୋଧୀଙ୍କ ଅଭିଯୋଗ ମନ୍ତ୍ରୀ ଦିବ୍ୟଶଙ୍କର ହେଉଛନ୍ତି ଅଭିଯୁକ୍ତ ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ପାଖ ଲୋକ । ମନ୍ତ୍ରୀଙ୍କ ପରୋକ୍ଷ ସମର୍ଥନରେ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଅନେକ ବ୍ୟଭିଚାର ଚଳାଇଥିଲେ । ଏପରିକି ସ୍କୁଲ ପରିସରରେ ଯୌନ ଶୋଷଣ ଚାଲିଥିବା ମଧ୍ୟ ସଂଗୀନ ଅଭିଯୋଗ ଆସିଛି । ଘଟଣାରେ ବିରୋଧୀଙ୍କ ସିଧା ଟାର୍ଗେଟକୁ ଆସିଛନ୍ତି ମନ୍ତ୍ରୀ ମିଶ୍ର । ବିରୋଧୀଙ୍କ ଅଭିଯୋଗ ଅନୁସାରେ ମନ୍ତ୍ରୀ ସ୍କୁଲ ପରିସରରେ ରାତ୍ରୀ ଯାପନ କରୁଥିଲେ । ପ୍ରତି ବଦଳରେ ସମସ୍ତ ପ୍ରକାରର ସରକାରୀ ଅନୁକମ୍ପା ସ୍କୁଲକୁ ଦେବାରେ ସହଯୋଗ କରୁଥିଲେ । ଅଭିଯୁକ୍ତ ଗୋବିନ୍ଦକୁ ମୋଷ୍ଟ ୱାଣ୍ଟେଡ ଘୋଷଣା କରି ପୋଲିସ ବାନ୍ଧିବା ପରେ ଏବେ ବିରୋଧୀ ନିରପେକ୍ଷ ତଦନ୍ତ ଦାବି କରି ମନ୍ତ୍ରୀ ଦିବ୍ୟ ଶଙ୍କରଙ୍କ ବହିଷ୍କାର ଦାବି କରୁଛନ୍ତି ।
ଏପରିକି ସମସ୍ତ ଦୋଷୀଙ୍କୁ ଗିରଫ କରିବା ଓ ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି (ବୁଧବାର) ବିରୋଧୀ ବିଜେପି କଳାହାଣ୍ଡି ବନ୍ଦ ଡାକରା ଦେଇଥିବା ବେଳେ, କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା ତୁହାକୁ ତୁହା ପ୍ରେସମିଟ କରି ମନ୍ତ୍ରୀଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ ବାଢିବାରେ ଲାଗିଛନ୍ତି । ଏହାସହ ମନ୍ତ୍ରୀଙ୍କୁ ପ୍ରଶ୍ନବାଣରେ ଘାଇଲା କରିବାରେ ଲାଗିଛନ୍ତି । ଏପଟେ ରାଜଧାନୀରେ ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନ ଉପରକୁ ଅଣ୍ଡା ଟମାଟୋ ମାଡ କରାଯିବା ସହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏପଟେ ମହାଳିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମରେ ସ୍କୁଲ ଅଧ୍ୟକ୍ଷାଙ୍କ ମୃତଦେହ ମାଟି ତଳୁ ମିଳିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି ।