ଓଡିଶା

odisha

By

Published : Dec 24, 2021, 8:33 AM IST

ETV Bharat / city

ତାଳଗୁଡ଼ ଭବନ ଉଦଘାଟିତ: ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ଭବନ

ରାଜଧାନୀର ଗଣ୍ଡମୁଣ୍ଡାରେ ନବନିର୍ମିତ ତାଳଗୁଡ଼ ଭବନକୁ ଉଦଘାଟନ କଲେ ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । ଏହି ଭବନ ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହୋଇପାରିବ ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ତାଳଗୁଡ଼ ଭବନ ଉଦଘାଟିତ: ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ଭବନ
ତାଳଗୁଡ଼ ଭବନ ଉଦଘାଟିତ: ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ଭବନ

ଭୁବନେଶ୍ବର: ରାଜଧାନୀର ଗଣ୍ଡମୁଣ୍ଡାରେ ନବନିର୍ମିତ ତାଳଗୁଡ଼ ଭବନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏମଏସଏମଇ(MSME) ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲରେ ଏହାକୁ ଉଦଘାଟନ କରିଛନ୍ତି । ତାଳଗୁଡ଼ ଭବନ ତାଳଗୁଡ଼ ସମବାୟ ସଂଘ ସମେତ ଅନ୍ୟ ସମବାୟ ସମିତିଗୁଡ଼ିକ ଲାଗି ଆୟ ବୃଦ୍ଧିର ଏକ ମାଧ୍ୟମ ହୋଇପାରିବ । ଯାହା ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ବୋଲି ଉଦଘାଟନୀ ଅବସରରେ ମନ୍ତ୍ରୀ କହିଛନ୍ତି ।

ତାଳଗୁଡ଼ ଭବନରେ ଏମଏସଏମଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାପରେ ଏକ ବୈଠକ କରାଯାଇଛି । ତାଳଗୁଡ଼ ସମବାୟ ସମିତି ଦ୍ବାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକ ସଂପୂର୍ଣ୍ଣ ଅର୍ଗାନିକ୍‌ ହେବା ଯୋଗୁଁ ଏହାର ଆଦର ରହିଛି । ତେବେ ପ୍ରତି ଜିଲ୍ଲାରେ ଏହି ସଂଘର ସମିତି ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକ ରହିଥିବା ସଚିବ ଦର୍ଶାଇଛନ୍ତି । ବିଶେଷ ଭାବେ ତାଳଗୁଡ଼ ସଂଘ ଅନ୍ୟାନ୍ୟ ସମବାୟ ତୁଳନାରେ ପଛରେ ଥିବା ହେତୁ ତାହାକୁ ମହୁ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ, କୁଟୀର ଶିଳ୍ପ ପ୍ରଭୃତି ବୃତ୍ତିରେ ସାମିଲ କରିବାକୁ ହେବ ବୋଲି ସେ କହିଛନ୍ତି ।

ହିତାଧିକାରୀମାନଙ୍କ ଅନୁରୋଧ କ୍ରମେ ସମସ୍ତ ସଂଘଗୁଡ଼ିକ ନିମନ୍ତେ ନିଜସ୍ବ କାର୍ଯ୍ୟାଳୟ ଗୃହ ନିର୍ମାଣ MSME ବିଭାଗ ଦ୍ବାରା କରାଯିବ । କାର୍ଯ୍ୟାଳୟର ପରିଚାଳନା ନିମନ୍ତେ ୫୦ ହଜାର ଟଙ୍କାର ଅନୁଦାନ ରାଶି ପ୍ରଦାନ କରିବାକୁ ପଦକ୍ଷେପ ନେବେ ବୋଲି ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହା ବ୍ୟତୀତ ଏମାନଙ୍କର ଉତ୍ପାଦଗୁଡ଼ିକୁ ବ୍ରାଣ୍ଡିଂ କରି ଉତ୍ତମ ପ୍ୟାକେଜିଂ କରିବା ତଥା ବିକ୍ରୟ କେନ୍ଦ୍ରଗୁଡ଼ିକର ସଂପ୍ରସାରଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ତାଳଗୁଡ଼ ଭବନ ଉଦଘାଟିତ: ଗ୍ରାମୀଣ ଅର୍ଥନୀତି ବିକାଶରେ ସହାୟକ ହେବ ଭବନ

ଶିଳ୍ପ ନିର୍ଦ୍ଦେଶକ ତଥା ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ମହାସଂଘର ପ୍ରଶାସକ ମହମ୍ମଦ ସାଦ୍ଦିକ୍‌ ଆଲାମ୍‌ କହିଛନ୍ତି ଯେ, ଏହା ଏକ ପୁରାତନ ସମବାୟ ସମିତି ହୋଇଥିବାବେଳେ କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ରେକର୍ଡ ପରିମାଣ ବିକ୍ରି କରିପାରିଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମକୁ ତାଳଗୁଡ଼ ମହାସଂଘର ପରିଚାଳନା ନିର୍ଦ୍ଦେଶକ ଚିଦାନନ୍ଦ ମିଶ୍ର ପରିଚାଳନା କରିଥିବାବେଳେ ଏମଏସଏମଇ ବିଭାଗର ସ୍ବତନ୍ତ୍ର ସଚିବ ମନ୍ମଥ କୁମାର ବିଶ୍ବାଳ, ଯୁଗ୍ମ ସଚିବ ରାଜଶ୍ରୀ ସିଂ, ମାନସୀ ମାନ୍‌ଧାତା, କେନ୍ଦ୍ର ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗର ଅରୂପ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ତାଳଗୁଡ଼ ଉତ୍ପାଦନ ସମବାୟ ସମିତିର ପାକ୍ଷିକ ପତ୍ରିକା ‘ସମବାୟ ସମାଚାର’ ବିଶେଷାଙ୍କ ପ୍ରକାଶ କରାଯାଇଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details