ଓଡିଶା

odisha

ETV Bharat / city

ଅଚାନକ ଗସ୍ତ କରି ଅଫିସରଙ୍କ ନିଦ ହଜାଇଲେ ଅରୁଣ ସାହୁ - ଅରୁଣ ସାହୁ

ନିଜ ଦାୟିତ୍ବ ପ୍ରତି ଖାମଖିଆଲି ମନୋଭାବ ରଖୁଥିବା ବାବୁମାନଙ୍କ ନିଦ ହଜେଇ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଆଜି ସକାଳୁ କୃଷି ବିଭାଗର ବିଭିନ୍ନ ଅଫିସକୁ ଅତର୍କିତ ପରିଦର୍ଶନ କରିଥିଲେ । କିନ୍ତୁ କେତେକ ବିଭାଗର ପ୍ରକୋଷ୍ଠରେ ଦେଖିବାକୁ ପାଇନଥିଲେ କର୍ମଚାରୀ ଓ ଅଫିସରଙ୍କୁ । ଆଉ ଏହି ବିଳମ୍ବକୁ ନେଇ ସେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 13, 2019, 5:41 PM IST

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ଅଫିସର ସକାଳ 10ଟାରେ ଅଫିସ ଆସିବେ ଏବଂ ସାଢେ 5ଟାରେ ଘରକୁ ଫେରିବେ । ଅପରାହ୍ନ ସାଢେ 1ରୁ 2ଟା ହେଉଛି ମଧ୍ୟାହ୍ନ ଭୋଜନ ସମୟ । ଖାଲି ସେତିକି ନୁହେଁ କର୍ମଚାରୀଙ୍କୁ ଚାପମୁକ୍ତ ରଖିବାକୁ ମାସର ଦ୍ବିତୀୟ ଶନିବାର ଭଳି ଚତୁର୍ଥ ଶନିବାରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏତେ ସୁବିଧା ମିଳିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ବାବୁମାନେ । ସକାଳ 10ଟା ପରେ ଅଫିସ ଚୌକିରେ ମଧ୍ୟ ନଜର ଆସୁନାହାନ୍ତି । ନିଜ ଦାୟିତ୍ବ ପ୍ରତି ଖାମଖିଆଲି ମନୋଭାବ ରଖୁଥିବା ଏଭଳି ବାବୁମାନଙ୍କ ନିଦ ହଜେଇ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ସକାଳୁ ଅଫିସ ସମୟ ମଧ୍ୟରେ କୃଷି ବିଭାଗର ବିଭିନ୍ନ ଅଫିସକୁ ଅତର୍କିତ ପରିଦର୍ଶନ କରିଥିଲେ କୃଷିମନ୍ତ୍ରୀ । କିନ୍ତୁ କେତେକ ବିଭାଗର ପ୍ରକୋଷ୍ଠରେ ଦେଖିବାକୁ ପାଇନଥିଲେ କର୍ମଚାରୀ ଓ ଅଫିସରଙ୍କୁ । ସୂଚନାନୁସାରେ ଅରୁଣ ସାହୁ ପ୍ଲାଣ୍ଟ ପ୍ରୋଟେକ୍ସନ ଅଫିସ ଯାଇଥିଲେ। ସେଠାରେ କୃଷି ଉପନିର୍ଦ୍ଦେଶକଙ୍କ ଦେଖାନଥିଲା । ହଠାତ ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିବା ସହିତ ବିଳମ୍ବରେ ଅଫିସ ଆସୁଥିବା ଯୋଗୁଁ କାରଣ ଦର୍ଶାଅ ନୋଟିସ କରିଥିଲେ ମନ୍ତ୍ରୀ । ସେହିପରି ଆଗ୍ରୋନୋମିଷ୍ଟ, M.I & W.U, State Bio fertiliser Testing Laboratory, OSSOPCA କାର୍ଯ୍ୟାଳୟକୁ ଯାଇ ମଧ୍ୟ ଧରପଗଡ଼ କରିଥିଲେ ।

ତେବେ ବିଳମ୍ବରେ ଅଫିସ ଆସିବାରେ ଖାଲି ଯେ ସାଧାରଣ କର୍ମଚାରୀ ସାମିଲ ଥିଲେ ତାହା ନୁହେଁ ଉପରିସ୍ତ ଅଧିକାରୀଙ୍କ ଅନୁପସ୍ଥିତିକୁ ଖୋଦ୍‌ ପରଖିଲେ ମନ୍ତ୍ରୀ । ଅଧିକାରୀଙ୍କ ଏଭଳି ବେଖିଆଲି ମନୋଭାବକୁ ନେଇ ସେ ରିପୋର୍ଟ ତଲବ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଏଭଳି ପଦକ୍ଷେପ ବାବୁମାନଙ୍କ ନିଦ ହଜେଇବା ସହ ମନରେ କୋକୁଆ ଭୟ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details