ଓଡିଶା

odisha

ETV Bharat / city

ଫାଇନାନ୍ସ ଡିଲ ନାଁରେ ଖଣି ବ୍ଯବସାୟୀଙ୍କୁ ଅପହରଣ: ସିଲ ହେଲା ଓ୍ବେବପୋର୍ଟାଲ, ସାମ୍ବାଦିକା ଗିରଫ

ଖଣି ବ୍ୟବସାୟୀଙ୍କୁ ଅପହରଣର ଷଢଯନ୍ତ୍ର ରଚିଥିଲେ ମିଡିଆ ମାଲିକ। ଏଥିପାଇଁ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ମାଗି ଶେଷରେ ଧରାପଡିଛନ୍ତି ୫ ଜଣ ସାମ୍ବାଦିକ । ଅଧିକ ପଢନ୍ତୁ...

ସାମ୍ବାଦିକାକୁ ମୋହରା କରି ଖଣି ବ୍ୟବସାୟୀ ଙ୍କୁ ଅପହରଣ, ଥାନାରେ ୪ ଅଟକ
ସାମ୍ବାଦିକାକୁ ମୋହରା କରି ଖଣି ବ୍ୟବସାୟୀ ଙ୍କୁ ଅପହରଣ, ଥାନାରେ ୪ ଅଟକ

By

Published : Aug 28, 2021, 12:24 PM IST

Updated : Aug 28, 2021, 7:18 PM IST

ଭୁବନେଶ୍ବର:ବର୍ବତରା ସୀମା ଟପିଲେ ସାମ୍ବାଦିକା। ମିଡିଆ ସଂସ୍ଥା ଆଳରେ ରଚିଲେ ଅପହରଣ। ଲେଡି ରିପୋର୍ଟର ଓ ମିଡିଆ ସଂସ୍ଥାର ସିଇଓ ମିଶି ଖଣି ବ୍ୟବସାୟୀକୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ୧୦ ଲକ୍ଷ ଡିମାଣ୍ଡ ସହ ଦେଲେ ଅକଥନୀୟ ନିର୍ଯାତନା। ଅଭିଯୋଗ ପରେ ୫ଜଣ ମିଡିଆ କର୍ମଚାରୀଙ୍କ ସହ ଗିରଫ ହୋଇଛନ୍ତି ସାମ୍ବାଦିକା। ରାଜଧାନୀର ଲାଇଭ କଳିଙ୍ଗ ନାମକ ଓ୍ବେବ ପୋର୍ଟାଲକୁ ସିଲ କରିବା ସହ ଜବତ ହୋଇଛି ଓ୍ବେବପୋର୍ଟାଲ କମ୍ପ୍ୟୁଟର ଓ କ୍ୟାମେରା ସହ ବୁମ ଓ ଆଇଡି କାର୍ଡ ପାସବୁକ ଓ ଟଙ୍କାଗଣା ମେସିନ।

ସାମ୍ବାଦିକାଙ୍କୁ ମୋହରା କରି ଖଣି ବ୍ୟବସାୟୀଙ୍କୁ ଅପହରଣ, 5 ଗିରଫ

କେମିତି ହୋଇଥିଲା ଅପହରଣ ?

ଗତ ୭ ତାରିଖରେ ପୁର୍ଣ୍ଣଚନ୍ଦ୍ର ସାହୁ ନାମକ ଖଣି ବ୍ୟବସାୟୀଙ୍କୁ ତାଙ୍କର ସହଯୋଗୀ ରାମାନୁଜ ଜରିଆରେ ଯୋଗାଯୋଗ କରିଥିଲେ ଓ୍ବେବ ପୋର୍ଟାଲ ମାଲିକ ରଘୁନାଥ ସାହୁ ଓରଫ ରାଜ୍‌ ଓ ତାଙ୍କ ସହଯୋଗୀ ଭିକୁ ସିଂ । ଏକ ଫାଇନାନ୍ସ ଡିଲ କରାଇଦେବାକୁ କହି ଲାଲଚାନ୍ଦ ମାଲିକ ସହ ସାକ୍ଷାତ କରାଇବା ପାଇଁ ଭୁବନେଶ୍ବର ଡକାଇଥିଲେ। ହେଲେ ରାଜ ତାଙ୍କୁ ନିଜର ରଘୁନାଥପୁର ସ୍ଥିତ ଓ୍ବେବପୋର୍ଟାଲ ଅଫିସକୁ ନେଇଯାଇଥିଲେ ସାକ୍ଷାତ କରାଇବା ପାଇଁ। ସେଠାରେ ଥିବା ସିକ୍ୟୁରିଟି ଗାର୍ଡ ରାକେଶ ଓ ମମତା ସାହୁ ତାଙ୍କ ଠାରୁ ମୋବାଇଲ ଛଡାଇନେଲେ। ପରେ ସାମ୍ବାଦିକା ପ୍ରିୟମ୍ବଦା ନାୟକ, ତାଙ୍କ କ୍ୟାମେରା ପର୍ସନ ଓ ଆସିଷ୍ଟାଣ୍ଟ ମିଶି ଏକ ଘରେ ଖଣି ବ୍ୟବସାୟୀଙ୍କୁ ବନ୍ଦୀ କରିଥିଲେ । ସେହି ଖଣି ବ୍ୟବସାୟୀଙ୍କ ଉପରେ ପୁର୍ବରୁ ରାଜର ରାଗ ରହିଥିଲା। ଯିଏକି ଜଣେ ଖଣି ମାଲିକ ଠୁ ରାଜ ଆଦାୟ କରିବାକୁ ଯାଉଥିବା ୫୦ ଲକ୍ଷ ଦାଦାବଟି ଘଟଣାର ଭଣ୍ଡୁର କରିଥିଲା। ସେହି କ୍ଷତି ପାଇଁ ରାଜ ଅପହୃତ ଖଣି ମାଲିକ ଠାରୁ ୧୦ ଲକ୍ଷ ଡିମାଣ୍ଡ କରିଥିଲା। ସେ ନଦେବାରୁ ମହିଳା ସାମ୍ବାଦିକାଙ୍କ ଜରିଆରେ ରାଜ ତାଙ୍କୁ ଭୁବନେଶ୍ବର ଡାକି ବ୍ଲାକମେଲ କରିଥିଲା । ଏପରିକି ତାକୁ ଉଲଗ୍ନ କରି ମାଡ ମଧ୍ୟ ମାରିଥିଲେ। ତାଙ୍କୁ ଲାତ ଗୋଇଠା ମାରିବା ସହ ବେଲଟରେ ପିଟିଥିଲେ । ଦୁଇଦିନ ଧରି ତାଙ୍କୁ ଶାରିରୀକ ନିର୍ଯାତନା ଦେବା ସହିତ ସାମ୍ବାଦିକା ଜଣକ ତାଙ୍କ ଗୁପ୍ତାଙ୍ଗରେ ଚେଙ୍ଗ ଦେଇଥିଲେ। ଉକ୍ତ ଖଣି ବ୍ୟବସାୟୀଙ୍କ ପରିବାରକୁ ଧମକ ଦେବା ପରେ ପରିବାର ଲୋକ ୫୦ ହଜାର ଟଙ୍କା ଯୋଗାଡ କରିବା ପରେ ବାକି ଟଙ୍କା ଦେବା ସର୍ତ୍ତରେ ଛାଡିଥିଲେ। ଆଉ ଏହି ଅକଥନୀୟ ନିର୍ଯ୍ୟାତନା ବିଷୟରେ ଉକ୍ତ ବ୍ୟବସାୟୀ ଆସି ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ନେଇ ପୋଲିସ ୫ ଜଣକୁ ଗିରଫ ସହ ଅଫିସ ସିଲ କରିଥିଲା।

ସାମ୍ବାଦିକାଙ୍କୁ ମୋହରା କରି ଖଣି ବ୍ୟବସାୟୀଙ୍କୁ ଅପହରଣ, 5 ଗିରଫ

ଅପହରଣ ନଂ ୨୭:

ସେହି ଓ୍ଵେବ ପୋର୍ଟାଲ ପକ୍ଷରୁ ଏପରି ଅପହରଣ ଓ ଦାଦାବଟି ବାରମ୍ବାର କରାଯାଉଥିବା ଅନୁମାନ କରୁଛନ୍ତି ବୋଲି କହିଛନ୍ତି ଭୁବନେଶ୍ଵର ଡିସିପି। ଏପରିକି ଇଣ୍ଟରୋଗେସନ ବେଳେ ସେମାନେ କହିଛନ୍ତି, ଏହାଥିଲା ସେମାନଙ୍କ ୨୭ ନମ୍ବର ଶିକାର। ପୁର୍ବରୁ ୨୬ଟି ଏଭଳି ଦାଦାବଟି, ଅପହରଣ ଓ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିଲେ। ଯାହାର ପ୍ରମାଣ ସ୍ବରୂପ ଟଙ୍କାଗଣା ମେସିନ ଓ ଆକାଉଣ୍ଟ ପାସବୁକ ଜବତ ହୋଇଛି । ଯେଉଁଥିରେ ଅନେକ ଟଙ୍କା କରାବାର ହୋଇଥିଲା।

ତଡିପାର ହେବେ ଦଲାଲ ସାମ୍ବାଦିକ:

ପୂର୍ବରୁ ଏଭଳି ତମାଣ୍ଡୋ ଥାନା ଅଞ୍ଚଳରୁ କିଛି ଓ୍ବେବ-ପୋର୍ଟାଲ ସାମ୍ବାଦିକ ଦାଦାବଟି ଓ ଧମକ ଚମକ ଅଭିଯୋଗରେ ଗିରଫ ହୋଇଥିଲେ। ସେହିପରି ଅନୁରୂପ ଘଟଣା ସାମ୍ନାକୁ ଆସିବା ପରେ ଏବେ ଏଭଳି ଖଳ ଓ ଅପରାଧିକ ମନୋବୃତ୍ତି ରଖି ସାମ୍ବାଦିକତା କରୁଥିବା ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକଙ୍କୁ ତଡିପାର କରାଯିବ। ଯାହା ନାଁରେ ଏପରି ଅଭିଯୋଗ ଆସିବ ସେମାନଙ୍କ ବିରୋଧରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବ। ଏତତ ବ୍ୟତୀତ ଯଦି କେହି ଏପରି ସାଧାରଣ ଲୋକଙ୍କୁ ଭୟଭୀତ କରାଇ ସାମ୍ବାଦିକତାର ଆଳରେ ଧମକ ଚମକ ଦେଉଥିବ ତା’ ନାଁରେ ପୋଲିସ ଆସିବାକୁ ଅନୁରୋଧ କରିଛନ୍ତି ଡିସିପି।

କୋର୍ଟଚାଲାଣ ହେଲେ ଅଭିଯୁକ୍ତ:

ଖଣି ବ୍ୟବସାୟୀ ପୁର୍ଣ୍ଣଚନ୍ଦ୍ର ସାହୁଙ୍କ ଅଭିଯୋଗ କ୍ରମେ ଲେଡି ରିପୋର୍ଟର ପ୍ରିୟମ୍ବଦା ନାୟକ, କ୍ୟାମେରା‌ମ୍ୟାନ ରାକେଶ, ସହଯୋଗୀ ଅଭିନାଶ ପାତ୍ର ଓ ସିକ୍ୟୁରିଟି ଗାର୍ଡ ମମତା ସାହୁକୁ ଗିରଫ କରିଛି । ଏବେବି ମାଲିକ ରଘୁନାଥ ସାହୁ ଓରଫ ରାଜ ଫେରାର ଅଛି । ଏନେଇ ଦଫା ୩୬୪-ଏ, ୫୦୬, ୩୪ ଓ ଆର୍ମସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ପୋଲିସ ପାଇଁ ବଢୁଛି ସାହସ:

କିଛି ଓ୍ବେବ ପୋର୍ଟାଲ ଓ ଗଣମାଧ୍ୟମ ସଂସ୍ଥା କର୍ମଚାରୀଙ୍କ ନାଁରେ ଅଭିଯୋଗ ହେଉଛି। ଏନେଇ ପୋଲିସ ସେମାନଙ୍କ କଳାକାରନାମାର ଗୁମର ଫିଟିଯିବା ଭୟରେ ସେମାନଙ୍କ ସହ ହାତ ମିଳାଉଛନ୍ତି। ଯାହାକୁ ନେଇ ସେମାନଙ୍କର ଗୋଟିଏ କେସରୁ ଏକାଧିକ କେସ କରିବାର ସାହସ ବଢୁଛି। ପୋଲିସ‌ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏନେଇ ଡିସିପି କହିଛନ୍ତି ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 28, 2021, 7:18 PM IST

ABOUT THE AUTHOR

...view details