ଭୁବନେଶ୍ବର:ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ସପ୍ତମ ବୈଠକ ଆଜି ଲୋକସେବାରେ ଅନୁଷ୍ଠିତ ହୋଇଛି । ପଞ୍ଚାୟତିରାଜ, ପାନୀୟ ଜଳ, ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ଫୋକସ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀତା କ୍ଷେତ୍ରରେ ସ୍ବଚ୍ଛତା ଓ ଉତ୍ତର ଦାୟିତ୍ବ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।
ବୈଠକ ପ୍ରାରମ୍ଭରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ପରିଷଦର ଅଧ୍ୟକ୍ଷ ଓ ଉପସ୍ଥିତ ସଦସ୍ୟ, ସଦସ୍ୟା ମାନଙ୍କୁ ସ୍ଵାଗତ ଜଣାଇ ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି ପରିଷଦର ଆଭିମୁଖ୍ୟ ଉପରେ ଆଲୋକପାତ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷର ସଫଳତା ଗତ ୨୦୨୦-୨୧ ବର୍ଷ ତୁଳନାରେ ଯଥେଷ୍ଟ ଉର୍ଦ୍ଧ୍ଵରେ ଅଛି । ତାହା ଛଡା ଚଳିତ ବର୍ଷ ରାଜ୍ୟର ସଫଳତା ପ୍ରକାଶ ଦେଶର ୧୦ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ମାନଙ୍କ ମଧ୍ୟରେ ସ୍ଥାନ ବଜାୟ ରଖିଛି ।
ସେହିପରି ସଚିବ କହିଛନ୍ତି ୧୪.୬ କୋଟି ଶ୍ରମ ଦିବସ ସୃଷ୍ଟି ସହିତ ସପ୍ତମ ସ୍ଥାନ । ୧୦୦ ଦିନରୁ ଉର୍ଦ୍ଧ୍ଵ କାର୍ଯ୍ୟ କରିଥିବା ପରିବାରରେ ଦ୍ବିତୀୟ ସ୍ଥାନ, ପ୍ରତି ପରିବାର ପିଛା ହାରାହାରି କାର୍ଯ୍ୟ ଦିବସରେ ଦ୍ଵିତୀୟ ସ୍ଥାନ, ଉଚିତ ସମୟରେ ଶ୍ରମିକ ମାନଙ୍କୁ ଦେୟ ପ୍ରଦାନରେ ଅଷ୍ଟମ ସ୍ଥାନ, ଜିଓ-ମନରେଗାରେ ସପ୍ତମ ସ୍ଥାନ ଓ ଗ୍ରାମ ପଞ୍ଚାୟତ ଜିଆଇଏସ ପ୍ଳାନରେ ଶୀର୍ଷ ସ୍ଥାନ ବଜାୟ ରଖିଅଛି । ଏହାବାଦ ରାଜ୍ୟର ୨୦ ଦାଦନ ପ୍ରବଣ ବ୍ଲକ ଗୁଡିକରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜବ କାର୍ଡଧାରୀଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବିଜ୍ଞାପିତ ମଜୁରୀ ଦର ଉପରେ ଅତିରିକ୍ତ ମଜୁରୀ ପ୍ରଦାନ କରି ଏହାକୁ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରି ହାରରେ ପ୍ରଦାନ କରାଯାଉଛି ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଅଧିନିୟମରେ ଧାର୍ଯ୍ୟ ହୋଇଥିବା ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ବ୍ୟତିରେକ ଅତିରିକ୍ତ ୨୦୦ ଦିନର କର୍ମ ନିଯୁକ୍ତି ପ୍ରଦାନ କରାଯାଉଛି । ଉକ୍ତ ୨୦୦ ଦିନ ନିମନ୍ତେ ଜବ କାର୍ଡଧାରୀ ମାନଙ୍କୁ ତାଙ୍କର ଦୈନିକ ମଜୁରୀ ରାଜ୍ୟର ଅଣକୁଶଳୀ ଶ୍ରମିକଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଜ୍ଞାପିତ ସର୍ବନିମ୍ନ ମଜୁରୀ ହାରରେ ପ୍ରଦାନ କରାଯାଉଛି ।