ଭୁବନେଶ୍ବର: କୋରୋନା ମହାମାରୀ ହେଉ କି ଅନ୍ୟ କୌଣସି କାରଣ, ରାଜ୍ୟରେ ଗତ ୬ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ଆତ୍ମହତ୍ୟା ମାମଲା । ଏକ ରିପୋର୍ଟ ଅନୁସାରେ ଗତ ୬ ବର୍ଷ(୨୦୧୬-୨୦୨୧) ମଧ୍ୟରେ ରାଜ୍ୟରେ ଆତ୍ମହତ୍ୟାର ପ୍ରାୟ ୨୮ ହଜାର ୨୪୯ଟି ମାମଲା ସାମନାକୁ ଆସିଛି । ଏହାସହ ବର୍ଷ ବଢିବା ସହିତ ଏହି ମାମଲାରେ ମଧ୍ୟ ବୃଦ୍ଧି ଘଟୁଥିବା ଦେଖିବାକୁ ମିଳିଛି । ଏହି ଆତ୍ମହତ୍ୟା ମାମଲା ବୃଦ୍ଧି ହେଉଥିବା ଜିଲ୍ଲା ମଧ୍ୟରେ କଟକ ସହର ସବୁଠୁ ଆଗରେ ରହିଛି ।
୨୦୧୬ ମସିହାରେ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ୩୮୮୪ ଆତ୍ମହତ୍ୟା ମାମଲା ଦାଏର କରାଯାଇଛି । ୨୦୧୭ରେ ଏହି ସଂଖ୍ୟାରେ ବୃଦ୍ଧି ପାଇ ୪୧୫୧ ଓ ୨୦୧୮ରେ ୪୪୪୭ ହୋଇଥିଲା । ସେହିପରି ୨୦୧୯ରେ ଏହି ସଂଖ୍ୟା ୪୬୩୬ ହୋଇଥିଲା । ୨୦୨୦ ଓ ୨୦୨୧ରେ ଯେତେବେଳେ ଓଡ଼ିଶା କୋଭିଡ଼ ମହାମାରୀ କବଳରେ ଥିଲା ଏହି ସମୟରେ ଆତ୍ମହତ୍ୟା ମାମଲା ୫ ହଜାର ପାର ହୋଇ ସାରିଥିଲା । ୨୦୨୦ ମସିହାରେ ଏହି ସଂଖ୍ୟା ୫୪୮୨ ରହିଥିବାବେଳେ ୨୦୨୧ରେ ଏହା ୫୬୪୯ ରହିଥିଲା ।
ରାଜ୍ୟର ସବୁଠୁ ପୁରାତନ ସହର କଟକରେ ଗତ ୬ ବର୍ଷ ମଧ୍ୟରେ ସବୁଠୁ ଅଧିକ ୩୩୨୫ ଆତ୍ମହତ୍ୟା ମାମଲା ସାମନାକୁ ଆସିଥିଲା । ୨୦୧୬ରେ କଟକର ସହରାଞ୍ଚଳରେ ୩୪୯ ଆତ୍ମହତ୍ୟା ମାମଲା ରହିଥିବାବେଳେ ୨୦୨୧ ମସିହାରେ ଏହା ଦ୍ବିଗୁଣିତ ହୋଇ ୮୭୫ରେ ପହଞ୍ଚିଥିଲା । ସେହିପରି କଟକର ଗ୍ରାମାଞ୍ଚଳରେ ଏଭଳି ମାମଲା ଖୁବ କମ ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୮୩ରେ ରହିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ୨୦୧୬ ଓ ୨୦୨୧ ମଧ୍ୟରେ ୨୮୦୨ ମାମଲା ଦାଏର ହୋଇଥିଲା ।