ଭୁବନେଶ୍ବର: ଦିନକୁ ଦିନ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ସାମାନ୍ୟ ଲକ୍ଷଣ ଥିବା ଲୋକଙ୍କୁ ସରକାର ହୋମ ଆଇସୋଲେସନରେ ରହିବାକୁ କହୁଛନ୍ତି । ତେବେ ଏହି ହୋମ ଆଇସୋଲେସନରେ ରହୁଥିବାବେଳେ ଲୋକଙ୍କର ମାନସିକ ଚିନ୍ତା ବଢୁଛି । ଏକାନ୍ତବାସରେ ଲୋକେ ଏକୁଟିଆ ଅନୁଭବ କରୁଛନ୍ତି । ଯାହା ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ ଅନୁଶୀଳନ କଲେ ଜଣାପଡୁଛି ।
ଏକୁଟିଆ ଗୋଟିଏ ଘରେ ରହୁଥିବାରୁ ନାନା ଆଶଙ୍କା, ମନ ଭିତରେ ଖେଳୁଛି । ଯାହା ମନବଳକୁ ଭାଙ୍ଗିଦେଉଛି । ନୂଆ ରୋଗର ଅନୁଭୂତି ସାଙ୍ଗକୁ ପରିବାରଠୁ ଦୂରରେ ରହିବା ଲୋକଙ୍କୁ ମାନସିକଭାବେ ଚାପଗ୍ରସ୍ତ କରୁଛି । 17 ଦିନ ଏକୁଟିଆ ରହିବା ଫଳରେ ମାନସିକ ଭାବେ ମଣିଷ ଦୁର୍ବଳ ହୋଇ ପଡୁଥିବା ଆଇସୋଲେସନରେ ରହିଥିବା ବ୍ୟକ୍ତି କହିଛନ୍ତି ।
ଏସବୁରୁ ମୁକ୍ତି ପାଇବା ପାଇଁ ସରକାର ହୋମ ଆଇସୋଲେସନରେ ରହୁଥିବା ଲୋକଙ୍କୁ କାଉନସେଲିଂ କରୁଛନ୍ତି । 1939 ନମ୍ବରରୁ କଲ କରି ସେମାନେ କିପରି ରହୁଛନ୍ତି, ମାନସିକ ସ୍ଥିତି କିପରି ରହିଛି, କଣ କଣ ଲକ୍ଷଣ ଦେଖାଦେଉଛି ଆଦି ପଚାରି ବୁଝୁଛନ୍ତି । ଯାହା ଲୋକଙ୍କ ମନରେ ଆଶାର ଆଲୋକ ଦେଖାଉଥିବା କୁହାଯାଉଛି ।