ଭୁବନେଶ୍ବର:ପୌର ନିର୍ବାଚନ ପାଇଁ ଲାଗୁ ହୋଇଛି ଆଦର୍ଶ ଆଚରଣବିଧି । ଏହାପୁର୍ବରୁ ରାଜଧାନୀରେ ଦେଖା ଦେଲାଣି ନିର୍ବାଚନି ଉଷ୍ମତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ରଣନୀତି ଆରମ୍ଭ କଲେଣି । ଏହାରି ଭିତରେ ବିଏମସିର ନିର୍ବାଚନ ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତାର କାରଣ ହେବ । କାରଣ ନିର୍ବାଚନ ଶାନ୍ତିପୂର୍ଣ୍ଣଭାବେ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱର ଡିସିପି । ଏନେଇ ଡିସିପି ମୁଖ୍ୟାଳୟରେ ସୋମବାର ବସିଥିଲା ବୈଠକ ।
ଏହି ବୈଠକରେ ସମସ୍ତ ପୌର ଓ୍ବାର୍ଡ ଥିବା ଆଇଆଇସି ଯୋଗଦେଇଛନ୍ତି । ବୈଠକରେ ନିଜ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି ନେଇ ତଥ୍ୟ ଦେଇଛନ୍ତି ଆଇଆଇସି । କାରଣ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । କେଉଁ ଥାନା ଅଧିନରେ କେତୋଟି ଓ୍ବାର୍ଡ ରହିଛି, କେତେ ଭୋଟର ଓ କେତେ ଆଶାୟୀ ପ୍ରାର୍ଥୀ ଏସମସ୍ତ ତଥ୍ୟ ଯୋଗାଡ କରିଛି ପୋଲିସ । ଏହାସହ ଥାନା ଅଧିନରେ ଥିବା ପେଶାଗତ ଅପରାଧିଙ୍କ ତାଲିକା ସହ ଗତ ପୌର ନିର୍ବାଚନ ସମୟରେ କେଉଁ ସବୁ ସ୍ଥାନରେ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲା ତାହାର ଏକ ଚିଠା ପ୍ରସ୍ତୁତ କରିଛି । ସେସବୁ ଅଞ୍ଚଳକୁ ସମ୍ବେଦନଶୀଳ ଭାବେ ନେଇ ଏଥର ନିର୍ବାଚନ ପରିଚାଳନା ପାଇ ପ୍ରସ୍ତୁତ ହୋଇଛନ୍ତି ଭୁବନେଶ୍ୱର କମିଶନରେଟ୍ ପୋଲିସ ଟିମ ।