ଭୁବନେଶ୍ବର :ଦୀର୍ଘ ୧୨ ଦିନର ଉତ୍କଣ୍ଠା ଓ ଆଶଙ୍କାର ଆଜି ଅନ୍ତ ଘଟିଛି । ୟୁକ୍ରେନ୍ରେ ମେଡିକାଲ ପାଠ ପଢୁଥିବା ଓଡିଆ ଛାତ୍ରଛାତ୍ରୀ ନିଜ ଭିଟାମାଟିକୁ ଫେରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଥିବା ସ୍ବତନ୍ତ୍ର ବିମାନ ଆଜି ନୂଆଦିଲ୍ଲୀରୁ ୭୭ଜଣ ଓଡିଆ ଛାତ୍ରଛାତ୍ରୀଙ୍କୁ ନେଇ ସଂଧ୍ୟା ୫.୩୦ ମିନିଟରେ ଭୁବନେଶ୍ବରରେ ପହଞ୍ଚିଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ସେମାନଙ୍କୁ ସ୍ବାଗତ କରିଛନ୍ତି ।
ୟୁକ୍ରେନରୁ ଫେରିଆସିଥିବା ପିଲାମାନଙ୍କୁ ପାଖରେ ପାଇ ବାପା ମାଙ୍କ ଆଖିରୁ ଝରିପଡିଥିଲା ଆନନ୍ଦର ଲୁହ । ହୃଦୟରେ ଆସିଥିଲା ଆଶ୍ବସ୍ତି । ପିଲାମାନଙ୍କ ନିରାପଦ ଉଦ୍ଧାର ପାଇଁ ସେମାନେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ବିମାନବନ୍ଦରେ ଉପସ୍ଥିତ ରହି ପିଲାମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ସେମାନେ ଆଗକୁ ଯେପରି ପାଠ ପଢିପାରିବେ । ସେଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବସନା ଦେଇଥିଲେ ।