ଭୁବନେଶ୍ବର:ମୟୂରଭଞ୍ଜ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାର ବହୁବିଧ ସୁବିଧା ଓ ସମସ୍ୟା ନେଇ ବୈଠକରେ ଆଲୋଚନା ହୋଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକର ଆୟୋଜନ ହୋଇଥିଲା।
ମୟୂରଭଞ୍ଜ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକରେ ଜନସାଧାରଣଙ୍କ ସମସ୍ୟାକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଇଛି। ତହସିଲ ଓ ନିବନ୍ଧନ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଅଧିନସ୍ଥ କାର୍ଯ୍ୟାଳୟରେ ଅଧିକ ସ୍ବଚ୍ଛତା ଆଣିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସାଧାରଣଙ୍କୁ ଆଇନ ଅନୁଯାୟୀ ଦାଖଲ ଖାରଜ ଓ ଘରବାଡ଼ି ପଟ୍ଟା ସେବା ତ୍ବରିତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୟୁରଭଞ୍ଜ ଜିଲ୍ଲାରେ 282 ଲଘୁ ଖଣିଜ ଉତ୍ସରୁ ମାତ୍ର 99 ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇଛି । ଅବଶିଷ୍ଟ ଲଘୁ ଖଣିଜ ଉତ୍ସକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟତଃ ସୀମାନ୍ତ ଅଞ୍ଚଳରୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣକୁ ରୋକିବାକୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କୁ କଡା ତାଗିଦ କରାଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ କପ୍ତିପଦା, ଠାକୁରମୁଣ୍ଡା, କରଞ୍ଜିଆ ଓ ଶାମାଖୁଣ୍ଟା ତହସିଲର ଅଧିକ ଲଘୁ ଖଣିଜ ଉତ୍ସକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।