ଭୁବନେଶ୍ବର: ୨୯ ତାରିଖରେ ମୌସୁମୀ କେରଳ ଛୁଇଁଥିବାବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇନି । ଜୁନ ୧୧ ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ଓଡିଶା ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ହେଲେ ଏନେଇ କୌଣସି ଅନୁକୂଳ ସ୍ଥିତି ଉପୁଜି ନଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏଥର ରାଜ୍ୟରେ ବିଳମ୍ବରେ ଆସିପାରେ ମୌସୁମୀ ରାଜସ୍ଥାନ, ଗୁଜୁରାଟ ଓ ଛତିଶଗଡରେ ଗ୍ରୀଷ୍ମପ୍ରଭାବ ଲାଗି ରହିଥିବାରୁ ରାଜ୍ୟକୁ ମୌସୁମୀ ଛୁଇଁବା ନେଇ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଥିବା ଆକଳନ କରାଯାଇଛି । ଏହିସବୁ ଅଞ୍ଚଳରୁ ଓଡିଶା ମଧ୍ୟକୁ ଗ୍ରୀଷ୍ମ ବାୟୁ ପ୍ରବେଶ କରୁଛି ତା' ସହ ଉପକୂଳ ଅଞ୍ଚଳରେ ଜଳୀୟବାଷ୍ପ ଅଧିକ ରହୁଥିବା କାରଣରୁ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ଓଡିଶା ବାୟୁମଣ୍ଡଳର ୨.୧ କିଲୋମିଟର ଉପରେ ଏହି ଉଷ୍ମ ବାୟୁ ରହିଥିବା କାରଣରୁ ଆଦ୍ରତା ଅଧିକ ରହୁଛି ଏହା ପ୍ରଭାବାରେ ପ୍ରାକମୌସୁମୀ ବର୍ଷାରେ ବିଳମ୍ବ ହେଉଥିବା ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମାଶଙ୍କର ପାତ୍ର କହିଛନ୍ତି ।
ଏହାସହ ରାଜ୍ୟରେ ଜୁନ ପହିଲାରୁ ୭ ତାରିଖ ମଧରେ ୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷାଠାରୁ ୭୩ ପ୍ରତିଶତ କମ । ତେଣୁ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାବ ସହ ଗୁଳୁଗୁଳି ଅନୁଭୂତ ହେଉଛି । ଗତକାଲି(ମଙ୍ଗଳବାର) ପଶ୍ଚିମ ଓଡ଼ିଶାର ୮ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ୨ ଦିନ ପୂର୍ବରୁ ୧୮ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଗକୁ ଆହୁରି ୨ ଦିନ ଏଭଳି ତାପମାତ୍ରା ରହିବ ବୋଲି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏହାକୁ ଲକ୍ଷ୍ୟ କରି ୧୦ ତାରିଖ ପର୍ଯନ୍ତ ପଶ୍ଚିମ ଓଡ଼ିଶାରେ ହିଟ ୱେଭର ସମ୍ଭାବନା ରହିଛି । ଆଜି(ବୁଧବାର) ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ୱାଭାବିକ ଠାରୁ ୪.୫ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।
ଇଟିଭି ଭାରତ, ଭୁବନେଶ୍ବର