ଭୁବନେଶ୍ବର:ମାଟ୍ରିକ ରେଜଲ୍ଟ ଆସିବା ପରେ ଏବେ ଯୁକ୍ତ ଦୁଇରେ ଆଡମିଶନ ନେଇ ଚିନ୍ତାରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ବିଜେବି, ରମାଦେବୀ ଏବଂ ରାଜଧାନୀ କଲେଜ କଟକର ରେଭେନ୍ସା ଭଳି ନାମୀ ସରକାରୀ କଲେଜ୍ରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗିତା ଦେଖାଦେଇପାରେ । ମ୍ୟାଟ୍ରିକ ପାସ୍ ହାର ବଢ଼ିଛି । ମେଧାବୀ ଛାତ୍ରଛାତ୍ରୀ ଏବେ ଆଡମିଶନ୍ ଟେନ୍ସନ୍ରେ ରହିଛନ୍ତି । ଭଲ କଲେଜରେ ସିଟ୍ ମିଳିବ ନା ନାହିଁ ଏହାକୁ ନେଇ ଆଶା ଆଶଙ୍କାରେ ଛାତ୍ରଛାତ୍ରୀ ।
ପାସ୍ହାର ଅଧିକ ଥିବାରୁ କଲେଜ ଗୁଡ଼ିକରେ ଆଡମିଶନ କଟ୍ଅଫ୍ ଅଧିକ ଯାଇପାରେ । ଚଳିତ ବର୍ଷ ମ୍ୟାଟ୍ରିକ ପାସ୍ ହାର 90.55 ପ୍ରତିଶତ ରହିଛି । A1 ଗ୍ରେଡ୍ ଅର୍ଥାତ 90 ପ୍ରତିଶତ ଉପରେ ମାର୍କ ରଖିଛନ୍ତି ରାଜ୍ୟର 8 ହଜାର 119 ଛାତ୍ରଛାତ୍ରୀ । ଏହି ଅନୁପାତ ବିଗତ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ । ସୂଚନାଯୋଗ୍ୟ ଯେ, ଗତବର୍ଷ ୨୬୫୬ ଛାତ୍ରଛାତ୍ରୀ A1 ଗ୍ରେଡ୍ ରଖିଥିଲେ । ଓଡ଼ିଶା ବୋର୍ଡ୍କୁ ବାଦ୍ ଦେଲେ CBSE ଓ ICSE ବୋର୍ଡରୁ ପ୍ରାୟ 10ରୁ 15 ହଜାର ଛାତ୍ରଛାତ୍ରୀ ରାଜ୍ୟ ବୋର୍ଡ ଅଧୀନରେ ଥିବା କଲେଜରେ ଆଡମିଶନ କରିବେ । ଏଥିପାଇଁ ଅନେକ ବଡ଼ବଡ଼ ସରକାରୀ କଲେଜ ଗୁଡିକରେ ଆଡମିଶନକୁ ନେଇ ଅଧିକ ପ୍ରତିଯୋଗୀତା ଦେଖା ଦେବାର ସମ୍ଭାବନା ରହିଛି ।
ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଥିବା କଲେଜ୍ ଗୁଡିକରେ ବି ଆଡମିଶନ୍ ନେଇ ସମସ୍ୟା ଦେଖାଦେଇପାରେ । ପାଖରେ ଥିବା କଲେଜ୍ରେ ପଢିବା ପାଇଁ ପିଲାଏ ଇଚ୍ଛୁକ ରହିଥାନ୍ତି । କମ୍ ସଂଖ୍ୟକ ସିଟ୍ ଓ ପାସ୍ ହାର ବଢିଥିବାରୁ ପାଖ କଲେଜରେ ସ୍ଥାନୀୟ ପିଲାଙ୍କୁ ଆଡମିଶନ୍ ନମିଳିପାରେ । ବିଶେଷକରି ଛାତ୍ରୀଙ୍କ ପାଠପଢାରେ ସମସ୍ୟା ଦେଖା ଦେଇପାରେ । ତେଣୁ ବର୍ତ୍ତମାନଠାରୁ କଲେଜ ଗୁଡିକରେ ସିଟ୍ ସଂଖ୍ୟା ବଢାଇବା ପାଇଁ ଦାବୀ ଉଠିଲାଣି । ସେପଟେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ସିଟ୍ ନେଇ କୌଣସି ସମସ୍ୟା ହେବନି, ଆବଶ୍ୟକ ହେଲେ ସିଟ ସଂଖ୍ୟା ବଢାଯିବ ବୋଲି ଆଶ୍ବସନା ଦେଇଛନ୍ତି ।
ରାଜ୍ୟରେ ବର୍ତ୍ତମାନ 2 ହଜାରରୁ ଅଧିକ ଜୁନିଅର କଲେଜ ରହିଥିବା ବେଳେ ମୋଟ୍ ସିଟ୍ ସଂଖ୍ୟା ହେଉଛି ପ୍ରାୟ 4 ଲକ୍ଷ 43 ହଜାର । ଏବର୍ଷ ପାସ୍ କରିଛନ୍ତି 5 ଲକ୍ଷ 17 ହଜାର 847 ଛାତ୍ରଛାତ୍ରୀ । ଏହାରି ଭିତରୁ ଅନେକ ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷାକୁ ବାଛିବେ । ତେବେ ବିଭାଗ ଏନେଇ କି ପଦକ୍ଷେପ ନେଉଛି ତାହାରି ଉପରେ ନଜର ରହିବ । ସୂଚନା ମୁତାବକ ରାଜ୍ୟରେ ଜୁଲାଇ 20 ତାରିଖ ଠାରୁ ଆରମ୍ଭ ହେବ ଯୁକ୍ତଦୁଇ ନାମଲେଖା ଆବେଦନ । ଭୁବନେଶ୍ଵର ବିଜେବି କଲେଜ ଏବଂ କଟକର ରେଭେନ୍ସା କଲେଜ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ।
ପୂର୍ବ ବର୍ଷର ପ୍ରମୁଖ କଲେଜର କଟ୍ଅଫ୍ ମାର୍କ