ହାଇଦ୍ରାବାଦ: 1938 ମସିହା ଅକ୍ଟୋବର 11 ତାରିଖ, ଭାରତ ଇତିହାସର ଏକ ଅବିସ୍ମରଣୀୟ ଦିନ । ଏହି ଦିନ ଲିଭିଯାଇଥିଲା ଭାରତ ମାତାର ଆଉ ଏକ ସୁଯୋଗ୍ୟ ସନ୍ତାନର ଜୀବନ ଦୀପ । ସେ ହେଉଛନ୍ତି ଭାରତର ସର୍ବ କନିଷ୍ଠ ଶହୀଦ 12 ବର୍ଷର ବାଜି ରାଉତ । 1926 ମସିହା ଅକ୍ଟୋବର 5 ତାରିଖରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁରରେ ଜନ୍ମ ହୋଇଥିଲେ ଏହି ବୀର ବାଳକ ।
ବାଳୁତ ବୟସରୁ ବାଜି ଢେଙ୍କାନାଳର ଅତ୍ୟାଚାରୀ ରାଜା ଶଙ୍କର ପ୍ରତାପ ସିଂହଦେଓଙ୍କ ବିରୋଧରେ ବୈଷ୍ଣବ ଚରଣ ପଟ୍ଟନାୟକଙ୍କ ପ୍ରଜାମେଳିରେ ଯୋଗ ଦେଇଥିଲେ । ତେବେ ଭାରତ ବର୍ଷରେ ଇଂରେଜ ମାନଙ୍କ ଅତ୍ୟାଚାର ବିଷୟରେ ମଧ୍ୟ ଅନେକ କଥା ଶୁଣିଥିଲେ ସେ ।
ସେଦିନ ଅକ୍ଟୋବର 13 ତାରିଖରେ ଅନ୍ଧାରିଆ ରାତିରେ ପ୍ରଜାମେଳିର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗିରହିଥିଲେ ବାଳକ ବାଜି । ସେଦିନ ସେ ସାଜିଥିଲେ ପ୍ରଜାମଣ୍ଡଳର ସିପାହୀ । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୂରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର୍ କରାଇବ । ଆଶଙ୍କା ସତ ହେଲା ପ୍ରଜାମଣ୍ଡଳ ଦମନ କରିବାକୁ ଆସି ପହଁଞ୍ଚିଥିଲେ ଗୋରା ଫଉଜ । ସେମାନଙ୍କ ଆଦେଶ ସତ୍ତ୍ବେ ଘାଟରୁ ଡଙ୍ଗା ଫିଟାଇଲେ ନାହିଁ ବାଜି । ଧମକର କୌଣସି ଫରକ ବାଜିଙ୍କ ଉପରେ ନପଡିବା ଦେଖି ତାଙ୍କ ଉପରେ ଗୁଳି ଚଳାଇଥିଲେ ଗୋରା ଫଉଜ । ଏତିକିରେ ବି ଦମ୍ଭ ଭାଙ୍ଗି ନଥିଲା ବୀର ବାଜିଆର । ଚିତ୍କାର କରି ଉଠିଥିଲେ ସେ, ତାଙ୍କ ଚିତ୍କାରରେ ଅନେକ ଲୋକ ଆସି ରୁଣ୍ଡ ହୋଇଥିଲେ ବ୍ରାହ୍ମଣୀ କୂଳରେ ।