ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଇଁ ମଧ୍ୟ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିପାଇଁ ଯୁବବର୍ଗଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ଗତ ଡିସେମ୍ବର ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ୟକ୍ରମ ଜାନୁଆରୀ ୧୫ ତାରିଖ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ପାଇଁ ବର୍ତ୍ତମାନ ସୁଦ୍ଧା ୨୦୦୫ ଜଣ ବିଦ୍ୟାର୍ଥୀ ଏବଂ ୮୨୬ ଜଣ କୋଚ୍ ନାମ ପଞ୍ଜିକରଣ କରିସାରିଲେଣି ।
କ୍ରୀଡ଼ା ପ୍ରତି ଯୁବ ବର୍ଗଙ୍କ ମଧ୍ୟରେ ରୁଚି ଓ ବଢୁଥିବା ଆଗ୍ରହକୁ ଦେଖି ଆସନ୍ତା ୧୫ ତାରିଖ ସୁଦ୍ଧା ଏହା ୧୦ ହଜାର ପାର କରିଯିବା ନେଇ ଆଶା କରାଯାଉଛି । କ୍ରୀଡ଼ାକୁ ଅଧିକ ପ୍ରୋତ୍ସାହିତ କରିବା ଏବଂ ଭବିଶ୍ୟତରେ ରାଜ୍ୟରୁ ଅଧିକ ମାତ୍ରାରେ କ୍ରୀଡ଼ା ତାରକା ସୃଷ୍ଟି ଲକ୍ଷ୍ୟରେ ବିଭାଗ ପକ୍ଷରୁ ୮ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । କ୍ରୀଡ଼ା ପ୍ରତି ରୁଚି ରଖିଥିବା ବିଦ୍ୟାର୍ଥୀ ଏବଂ କୋଚ୍ www.department.sportsodisha.gov.in ମାଧ୍ୟମରେ ନିଜର ନାମ ପଞ୍ଜିକରଣ କରିପାରିବେ ।