ଭୁବନେଶ୍ବର: 1849 ମସିହାରେ ଭାରତରୁ ଦୁର୍ମୂଲ୍ୟ କୋହିନୂର ହୀରା ନେଇ ଯାଇଥିଲେ ବ୍ରିଟିଶ । ଅନେକ ଥର କୋହିନୂର ହୀରାକୁ ଫେରାଇ ଆଣିବାକୁ ନେଇ ଚର୍ଚ୍ଚା ଲାଗି ରହିଥାଏ (bring back Kohinoor from Britain) । ବର୍ତ୍ତମାନ ବ୍ରିଟେନ ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ପରଲୋକ ପରେ କୋହିନୂର ହୀରା ଫେରାଇ ଆଣିବା ନେଇ ସ୍ବର ଉଠିଛି । ରାଜା ରଣଜିତ ସିଂହ କୋହିନୂର ହୀରାକୁ ମହାପ୍ରଭୁଙ୍କ ନିକଟରେ ଦାନ କରିବେ ବୋଲି ସଂକଳ୍ପ କରିଥିଲେ । ଏଣୁ କୋହିନୂରକୁ ଓଡ଼ିଶା ତଥା ମହାପ୍ରଭୁଙ୍କ ନିକଟକୁ ଫେରାଇ ଆଣିବାକୁ ନେଇ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଜଗନ୍ନାଥ ସେନା ।
ଘନଉଛି କୋହିନୂର ଫେରାଇ ଆଣିବା ଦାବି, ଫେରିବ କି ଭାରତର ଦୁର୍ମୂଲ୍ୟ ସମ୍ପତ୍ତି ? ମହାପ୍ରଭୁଙ୍କ କୋହିନୂର ହୀରା
ମୋଗଲମାନଙ୍କୁ ହରାଇ କୋହିନୂର ଅକ୍ତିଆର କରିଥିଲେ ପଞ୍ଜାବ ରାଜା ରଣଜିତ ସିଂହ । ଯିଏ ସେର୍-ଏ-ପଞ୍ଜାବ ନାମରେ ମଧ୍ୟ ପରିଚିତ । ଦୃଷ୍ଟି ଶକ୍ତି ଫେରି ପାଇବାକୁ ସେ ମହାପ୍ରଭୁଙ୍କ ନିକଟରେ ମାନସିକ କରି କୋହୀନୂର ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏହାକୁ ନେଇ ସେ ୧୮୩୦ ମସିହାର ସଂକଳ୍ପ ପତ୍ରରୁ ସ୍ପଷ୍ଟ ହୋଇଛି । ତେବେ ମହାରାଜାଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଦଲିପ ସିଂହଙ୍କୁ ବ୍ରିଟେନ ପଠାଇଥିଲେ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିକାରୀ । ଏଭଳି ଭାବରେ କୋହିନୂର ମଧ୍ୟ ତାଙ୍କ ସହ 1849 ମସିହାରେ ବ୍ରିଟିଶ ଯାଇଥିଲା । ଏହାପରେ ୧୯୧୧ ମସିହାରୁ ବ୍ରିଟେନ ମହାରାଣୀଙ୍କ ମୁକୁଟର ମଣିଭାଗରେ ଏହା ଶୋଭା ପାଇଛି । ବାରମ୍ବାର କୋହିନୂରକୁ ଫେରାଇ ଆଣିବାକୁ ନେଇ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନି ।
କୋହିନୂର ପାଇଁ ଜଗନ୍ନାଥ ସେନାର ଚିଠି
୨୦୧୬ ମହାପ୍ରଭୁଙ୍କ କୋହିନୂର ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ କରିଥିଲା ଜଗନ୍ନାଥ ସେନା । ବ୍ରିଟେନ ରାଣୀଙ୍କୁ ଭେଟିବା ପାଇଁ ବ୍ରିଟେନ ଯିବାକୁ ମଧ୍ୟ ବାହାରିଥିଲା । ତେବେ ଭିସା ମିଳିନଥିଲା । ଏହାପରେ କୋଲକାତାସ୍ଥିତ ବ୍ରିଟେନ ଦୂତାବାସକୁ ଚିଠି କରିଥିଲା ଜଗନ୍ନାଥ ସେନା । ତେବେ ମହାରାଣୀ ଅଣରାଜନୈତିକ ବ୍ୟକ୍ତିତ୍ବ ହୋଇଥିବାରୁ ସେ ଏନେଇ ନିଷ୍ପତ୍ତି ନେଇ ପାରିବେ ନାହିଁ । ଏହାକୁ ନେଇ ସେ କେବଳ ସୁପାରିଶ କିମ୍ବା ପ୍ରସ୍ତାବ ଦେଇ ପାରିବେ । ତେଣୁ ଏଭଳି ଅପିଲ୍ କେବଳ ବ୍ରିଟିଶ ପାର୍ଲ୍ୟାମେଣ୍ଟ୍ରେ କରାଯାଇ ପାରିବ ବୋଲି କୁହାଯାଇଥିଲା ।
ଅନ୍ତର୍ଜାତୀୟ କୋର୍ଟକୁ ଯିବ ଜଗନ୍ନାଥ ସେନା !
ମହାପ୍ରଭୁଙ୍କ କୋହିନୂର ଫେରାଇ ଆଣିବାକୁ ଜଗନ୍ନାଥ ସେନା ଦରକାର ପଡ଼ିଲେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ବାରସ୍ତ ହେବ କହିଛି । ତେଣୁ ଏଥିପ୍ରତି ରାଜ୍ୟ କେନ୍ଦ୍ର ସରକାରଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରିଛି ଜଗନ୍ନାଥ ସେନା ।
ଏହାକୁ ନେଇ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଇଂଲଣ୍ଡର ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ପରଲୋକ ହୋଇଛି । ରାଜା ରଣଜିତ ସିଂହ ଯେତେବେଳେ ଦୃଷ୍ଟି ଶକ୍ତି ହରାଇ ବସିଥିଲେ । ମହାପ୍ରଭୁଙ୍କ ନିକଟରେ କୋହିନୂର ଦାନ ଇଚ୍ଛା କରି କୌଳିକ ପଣ୍ଡାଙ୍କ ନିକଟରେ ସଂକଳ୍ପ କରିଥିଲେ । ଏହାପରେ ରଣଜିତ ସିଂହଙ୍କ ମୃତ୍ୟୁ ହେବାରୁ ତାଙ୍କ ଉତ୍ତରାଧିକାରୀ ଦଲିପ ସିଂହଙ୍କୁ ଇଂଲଣ୍ଡ ନେଇଯାଇଥିଲେ ବ୍ରିଟିଶ । ପରେ ତାଙ୍କଠାରୁ କୋହିନୂର ନେଇ ରାଣୀ ଭିକ୍ଟୋରିଆଙ୍କୁ ଦିଆଯାଇଥିଲା । ରାଣୀ କୋହିନୂର ଫେରାଇବା ସମର୍ଥନ ଦେଉଥିଲେ । କିନ୍ତୁ ରାଣୀଙ୍କ ଦେହାନ୍ତ ପରେ କୋହିନୂର କିଭଳି ଫେରିବ ତାହା ଚିନ୍ତାର ବିଷୟ ହୋଇଛି । ଏଥିପାଇଁ ଆମେ ଦରକାର ପଡ଼ିଲେ ଅନ୍ତର୍ଜାତୀୟ କୋର୍ଟଙ୍କ ଦ୍ବାରସ୍ଥ ହେବୁ ।"
ଦାବି ରଖିଲେ ଜଗନ୍ନାଥ ପ୍ରେମୀ ଓ ସଂସ୍କୃତି ଗବେଷକ
ମହାରାଜା ରଣଜିତ ସିଂହ ମହାପ୍ରଭୁଙ୍କୁ କୋହିନୂର ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ଚଞ୍ଚକତା କରି ଏହାକୁ ବ୍ରିଟିଶମାନେ ନେଇ ଯାଇଥିଲେ । ବର୍ତ୍ତମାନ ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଚାର୍ଲସ୍ ତୃତୀୟ ରାଜ ସିଂହାସ ଆରୋହଣ କରିଛନ୍ତି । ସେ ପୁରୀ ହରିପୁର ଆସି ଓଡ଼ିଶା ସଂସ୍କୃତିରେ ବିମୋହିତ ହୋଇଥିଲେ । ତେଣୁ କୋହିନୂର ଫେରାଇବା ନେଇ ନିବେଦନ କରିବା କଥା କହିଛନ୍ତି ଜଗନ୍ନଥା ପ୍ରେମୀ ଓ ଗବେଷକ ।
ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଚନ୍ଦ୍ର ଦାଶ କହିଛନ୍ତି, "ଚାର୍ଲସ୍ ତୃତୀୟ ଓଡ଼ିଶା ଆସିଥିଲେ । ଓଡ଼ିଶାର ସଂସ୍କୃତି ଦେଖି ସେ ବିମୁଗ୍ଧ ହୋଇଥିଲେ । ତେଣୁ ଆମେ ଆଶା କରୁଛୁ ବ୍ରିଟେନ୍ ରାଜା କୋହିନୂର ଆମକୁ ଫେରାଇ ଦେବେ । କାରଣ ଆମର ଏଥିରେ ଅଧିକାର ଅଛି । ତେବେ ରାଜ୍ୟ ଓ କେନ୍ଦ୍ର ସରକାର ଏଥିପ୍ରତି ଆନ୍ତରିକତା ଦେଖାଇବା ଆବଶ୍ୟକତା ରହିଛି ।"
ସେହିଭଳି ଜଗନ୍ନାଥ ପ୍ରେମୀ ଚକ୍ରଧର ମହାପାତ୍ର କହିଛନ୍ତି, "ମୁକୁଟ ଫେରିପାଇବାର ଦୁଇଟି ଦିଗ ରହିଛି । ଗୋଟିଏ ହେଉଛି କୋହିନୂର ଫେରାଇବା ପାଇଁ ରାଜା ଚାର୍ଲସ୍ ତୃତୀୟ ରାଜି ହେବା ଦରକାର । ଅନ୍ୟ ଏକ ଗୋଟିଏ କଥା ହେଉଛି ବ୍ରିଟେନ୍ ପାର୍ଲ୍ୟାମେଣ୍ଟ ମଧ୍ୟ ଅନୁରୂପ ଭାବରେ ରାଜି ହେବା ଦରକାର । କିନ୍ତୁ ଏଥିପ୍ରତି କେନ୍ଦ୍ର ସରକାର ଆଲୋଚନା ଆରମ୍ଭ କରିବା ଆବଶ୍ୟକତା ରହିଛି ।"
ଏହାପୂର୍ବରୁ ମଧ୍ୟ ଅନେକ ଥର କୋହିନୂର ଫେରାଇବା ପାଇଁ ଜାତୀୟସ୍ତରରେ କଥା ଉଠିଛି । ହେଲେ ଏହାକୁ ନେଇ ଭାରତକୁ କୌଣସି ପ୍ରକାର ସୁଫଳ ମିଳିନି । ତେବେ ପୁନଃ ଏଭଳି ପ୍ରୟାସ କେତେ ଦୁର ସଫଳ ହେବ ତାହାରି ଉପରେ ରହିଛି ନଜର ।