ଭୁବନେଶ୍ବର:"ପୋଲିସ ମାରିଦେଲା ମୋ ପୁଅକୁ, ପୋଲିସ ମାରିଦେଲା ମୋ ଭାଇକୁ ।" ପୁଅ ବା ଭାଇକୁ ହରାଇବା ପରେ ଏମିତି ଆକୁଳ ହୋଇ ବୁକୁଫଟା କାନ୍ଦ କାନ୍ଦୁଛନ୍ତି ମା’ ଓ ପୁଅ । କ୍ୟାପିଟାଲ ହସ୍ପିଟାଲ ମୃତଦେହ ସଂରକ୍ଷଣ ଗୃହ ସାମ୍ନାରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ସାଲିଆସାହିର ନୟନା ନାୟକ ଓ ତାଙ୍କ ପୁଅ ଲକ୍ଷ୍ମଣ ନାୟକ କମିଶନରେଟ ପୋଲିସ ବିରୋଧ ଆଣିଛନ୍ତି ଏମିତି ସଙ୍ଗୀନ ଅଭିଯୋଗ । ଗତ ଗୁରୁବାର ନୟାପଲି ଥାନା ପୋଲିସ ତାଙ୍କ ବଡ଼ ପୁଅ ବାପି ନାୟକକୁ ଘରୁ ଉଠାଇ ଥାନାକୁ ନେଇ ଆସିଥିଲା । ଥାନାରେ ପୋଲିସ ବାବୁଙ୍କ ମାଡ଼ ଯୋଗୁଁ ବଡ଼ ପୁଅର ମୃତ୍ୟୁ ହୋଇଥିବା ଉଭୟ ଅଭିଯୋଗ କରିଛନ୍ତି ।
ଏକ ପ୍ରେମ ବ୍ୟାପାର ମାମଲାରେ ନୟନାଙ୍କ ସାନ ପୁଅ ପ୍ରଦୀପ ନାୟକଙ୍କ ବିଷୟରେ ପଚରାଉଚରା ପାଇଁ ବଡ଼ପୁଅ ବାପି ନାୟକଙ୍କୁ ଥାନାକୁ ନେଇଥିଲା ନୟାପଲ୍ଲୀ ପୋଲିସ । ପ୍ରଦୀପ ନାୟକଙ୍କ ବିଷୟରେ ପଚରାଉଚରା ପାଇଁ ବଡ଼ଭାଇ ବାପିକୁ ମାରଧର କରିଥିଲା ପୋଲିସ । ଏଭଳି ମାଡ଼ ମାରିଥିଲେ ଯେ ବାପି ଥାନାରୁ ଆସିବା ପରେ ବାପି ସଠିକ ଭାବରେ ଠିଆ ମଧ୍ୟ ହୋଇ ପାରୁନଥିଲେ । ଶେଷରେ ଶଯ୍ୟାଶାୟୀ ହୋଇ ବାପି ବୁଧବାର ଆଖି ବୁଜି ଦେଇଥିଲେ । ଏହାପରେ ବାପିଙ୍କ ମାଆ ଓ ଭାଇଙ୍କ ଆଖିରୁ ଲୁହ ଶୁଖିବାର ନାଁ ଧରୁନି । ବୋଧ ହୁଏ ପୋଲିସ ବିରୋଧର ଥିବା କ୍ରୋଧ ଏବେ ଲୁହ ଆକାରରେ ଢାଳୁଛନ୍ତି ଦୁଇ ମାଆ ଓ ପୁଅ ।