ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ଅସୁରକ୍ଷିତ । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଦେଶର ଆତ୍ମାକୁ ଶକ୍ତ ଆଘାତ ଦେଇଛି । ଏହାର ପ୍ରତିବାତରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ରାଜନୈତିକ ଦଳ । କମ୍ପୁଛି ପଲ୍ଲୀରୁ ଦିଲ୍ଲୀ । ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଆଜି(ଶୁକ୍ରବାର) ବିଜେପି କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡିଶା ଆସିବେ ।
ସୂଚନା ଅନୁଯାୟୀ, ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆଜି ୩ ଜଣିଆ ପ୍ରତିନିଧି ଦଳ ଓଡିଶା ଗସ୍ତ କରିବେ । ଘଟଣା ସମ୍ପର୍କରେ ବିସ୍ତୃତ ଅନୁଧ୍ୟାନ କରିବ ଟିମ । ଏହି ପ୍ରତିନିଧି ଦଳରେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ଯକ୍ଷା ଭାନଥା ଶ୍ରୀନିବାସ, ସାଂସଦ ସୁନୀତା ଦୁଗଲ ଓ ବିଧାୟିକା ରୁପା ମିତ୍ର ସାମିଲ ଅଛନ୍ତି । ପ୍ରତିନିଧି ଦଳ ଘଟଣା ସମ୍ପର୍କରେ ସଂପୂର୍ଣ୍ଣ ବିବରଣୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ପ୍ରଦାନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ ହେବ । ଏ ନେଇ ପୂର୍ବରୁ ସୂଚନା ଦେଇଥିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ।