ଭୁବନେଶ୍ବର: ରାଜ୍ୟ ବିଜେପିର 15 ଜଣିଆ ଟିମ ବଲାଙ୍ଗୀର ଓ କଳାହାଣ୍ଡି ଗସ୍ତ ସାରି ଫେରିଛନ୍ତି । ତେବେ ଏହି ଅବସରରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ବିଜେପି ସଭାପତି ମମିତା ହତ୍ୟାକାଣ୍ଡ ଘଟଣାରେ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି କି ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଘଟଣାସ୍ଥଳ ପରିଦର୍ଶନ କରିଥିବାବେଳେ ମମିତା ମେହେର ତାଙ୍କ ପରିବାରର ଏକ ମାତ୍ର ଆଶ୍ରା ଥିଲେ ସେ ସୂଚନା ଦେଇଛନ୍ତି । ତେବେ ଗତ 10 ବର୍ଷ ମଧ୍ୟରେ ଗାଁର ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଛି । କିନ୍ତୁ ସେଠାରେ ବଡ଼ କଲେଜ ନିର୍ମାଣ ହୋଇଛି । ତେବେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କର ନିଜ ନିର୍ବାଚନ ମଣ୍ଡଳୀ ଯୋଗୁଁ କଲେଜକୁ ଅହେତୁକ ଅନୁକମ୍ପା ମିଳିଛି। ହେଲେ ମମିତାଙ୍କ ପରିବାରରେ ଦିନକୁ ଦିନ ଦୁଃଖ ବଢ଼ିବାରେ ଲାଗିଛି ।
ସେପଟେ ସ୍ଥାନୀୟ ଅଞ୍ଚଳରେ ମମିତା ଜଣେ ଭଲ ଶିକ୍ଷୟିତ୍ରୀ ଭାବେ ବେଶ୍ ଜଣାଶୁଣା। ତେବେ ପୋଲିସର ତଦନ୍ତ, ଲୋକଙ୍କ କଥା ଓ ସ୍ଥିତିରେ କୌଣସି ତାଳମେଳ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା । ଆଉ ତା ସହିତ ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ଗୁରୁତର ଅଭିଯୋଗ ଆସୁଛି । ସେ କହିଛନ୍ତି କି କଲେଜର ବିକାଶ ହୋଇଛି ହେଲେ ଗାଁର ବିକାଶ ହୋଇପାରିନାହିଁ । ଲୋକମାନଙ୍କ ମୌଳିକ ସୁବିଧାକୁ ଗୁରୁତ୍ବ ଦେଇନାହାନ୍ତି ମନ୍ତ୍ରୀ । ପୂର୍ବରୁ ବିଜେପି ମଧ୍ୟ ବିଜେଡ଼ି ସହ 9 ବର୍ଷ ଶାସନରେ ଥିଲା । ସେତେବେଳେ ଯଦି କୌଣସି ମନ୍ତ୍ରୀଙ୍କ ନାଁରେ ସାମନ୍ୟ କିଛି ଦୁର୍ନୀତିର ଅଭିଯୋଗ ଆସେ । ତୁରନ୍ତ ମନ୍ତ୍ରୀ ପଦରୁ ବହିଷ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ । ନଚେତ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଥିଲା । ଏହିଭଳି ଘଟଣାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ମିଥ୍ୟା ସତ୍ୟପାଠ ପାଇଁ ସେ ସମୟରେ ବିଦା କରାଯାଇଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି ।