ଭୁବନେଶ୍ବର:କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଶେଷରେ ମୁହଁ ଖୋଲିଛି ଶାସକ ବିଜୁ ଜନତା ଦଳ (ବିଜେଡି) । ମମିତା ମେହେର ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ଦଳ ପକ୍ଷରୁ ଉପ-ସଭାପତି ତଥା ବିଧାୟିକା ପ୍ରମିଳା ମଲ୍ଲିକ ଦଳର ପକ୍ଷ ରଖିବା ସହ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସମର୍ଥନରେ ଦଳ ଓକିଲାତି କରିଛି ।
ପ୍ରେସମିଟ କରି ପ୍ରମିଳା କହିଛନ୍ତି ମମିତାଙ୍କ ମୃତ୍ୟୁ ସମାଜର ଓ ପରିବାରର କ୍ଷତି ହୋଇଛି । ଆମେ ସମବେଦନା ଜଣାଉଛୁ । ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥାରେ କାମ କରିଥିବା ଜଣେ ଅଧିକାରୀଙ୍କୁ ତଦନ୍ତ ପାଇଁ ଦାୟିତ୍ବ ଦିଆଯାଇଛି । ଅଭିଯୁକ୍ତ ନିଶ୍ଚୟ ଦଣ୍ଡ ପାଇବେ । ଅନ୍ୟ ଯେଉଁମାନେ ବି ସମ୍ପୃକ୍ତ ସେମାନେ ବି ଦଣ୍ଡ ପାଇବେ । ଉକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ, ଶିକ୍ଷକ କାମ କରୁଛନ୍ତି । ସେମାନଙ୍କୁ ବଦନାମ କରା ନଯାଉ । ଅନ୍ୟମାନେ ବି ସେଠାରେ ଅଛନ୍ତି । ଛାତ୍ରଛାତ୍ରୀ ଭଲ ପାଠ ପଢନ୍ତୁ । ଅନୁଷ୍ଠାନ ଅଛି ମାନେ ମନ୍ତ୍ରୀ, ନେତା ଯିବେ । ଯଦି କିଏ ଫଟୋ ଉଠାଇଲା, ତାଙ୍କୁ ଦୋଷୀ ସଜାଇବା ଠିକ ନୁହେଁ ।
ସେହିପରି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସପକ୍ଷରେ ଯୁକ୍ତି ବାଢି ପ୍ରମିଳା କହିଛନ୍ତି ମନ୍ତ୍ରୀ ଆର୍ଥିକ ଅନୁଦାନ ଦେଇ ଦେଲେ ଦୋଷୀ ହେବେନାହିଁ । ମନ୍ତ୍ରୀ ସେଠାକୁ ଯାଉଥିଲେ କି ନାହିଁ, ତାହା ତଦନ୍ତ ପରେ ଜଣାପଡିବ । ଯଦି ଫଟୋ ଉଠାଇ ଦେଲେ ଦୋଷୀ ହେବେ ତାହା ହେଲେ ବିଜେପିର ବହୁ ନେତାଙ୍କ ଫଟୋ ଅପରାଧୀଙ୍କ ସହ ରହିଛି ବୋଲି ପ୍ରମିଳା କହିଛନ୍ତି ।