ଭୁବନେଶ୍ବର: ରାଉରକେଲାରୁ ରାଞ୍ଚି ସ୍ଥାନାନ୍ତର ହେବ ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର । ଏନେଇ ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ସ୍ଥାନାନ୍ତର ନକରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ।
୧୯୮୮ ମସିହାରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚର କ୍ଷେତ୍ରୀୟ ଶାଖା ଭାବେ ରାଉରକେଲାରେ ପ୍ରତିଷ୍ଠା ହୋଇଥିଲା ଏହି ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର । ମ୍ୟାଲେରିଆ ସମ୍ପର୍କିତ ରିସର୍ଚ୍ଚ ଓ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଅନୁଷ୍ଠାନ କାର୍ଯ୍ୟ କରୁଥିଲା ।
ସୁନ୍ଦରଗଡ଼ରେ ମ୍ୟାଲେରିଆର ପ୍ରକୋପ ପ୍ରଶମିତ କରିବା ଦିଗରେ ଏହି ଅନୁଷ୍ଠାନ ବିଗତ ଦିନରେ ଆଖିଦୃଶିଆ କାର୍ଯ୍ୟ କରିଛି । ରାଜ୍ୟର ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ କ୍ଷେତ୍ରରେ ମଧ୍ୟ ଏହି ଅନୁଷ୍ଠାନର ପ୍ରମୁଖ ଭୂମିକା ରହିଛି । ଏବେ କିନ୍ତୁ ରାଉରକେଲା ସ୍ଥିତ ଏହି ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର ରାଉରକେଲାରୁ ରାଞ୍ଚିକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହା କୌଣସି ଦୃଷ୍ଟିରୁ ରାଜ୍ୟ ପାଇଁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।
ରାଜ୍ୟର ପଶ୍ଚିମ ଓ ଉତ୍ତର ଓଡ଼ିଶା ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ଅନୁଷ୍ଠାନ ହରାଇବ । ଏବେ ରାଜ୍ୟ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଆଖିଦୃଶିଆ ସଫଳତା ହାସଲ କରିଛି । ମ୍ୟାଲେରିଆର ପ୍ରକୋପ ଅନେକ ମାତ୍ରାରେ ହ୍ରାସ ପାଇଛି । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ରାଜ୍ୟ ଜାତୀୟ ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇପାରିଛି ବୋଲି ସେ କହିଛନ୍ତି ।
ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର ସ୍ଥାନାନ୍ତର ପ୍ରସଙ୍ଗ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ କିଶୋର - ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର ସ୍ଥାନାନ୍ତର ଖବର
ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟରକୁ ରାଉରକେଲାରୁ ରାଞ୍ଚି ସ୍ଥାନାନ୍ତର ନ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି । ଅଧିକ ପଢନ୍ତୁ...
ମ୍ୟାଲେରିଆ ରିସର୍ଚ୍ଚ ସେଣ୍ଟର ସ୍ଥାନାନ୍ତର ପ୍ରସଙ୍ଗ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବ କିଶୋର ଦାସ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ