ଭୁବନେଶ୍ବର: "ଓଡ଼ିଶା ଜନସମ୍ବାଦ ରାଲି"ରେ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉଦବୋଧନ । ଓଡ଼ିଶା ପାଇଁ ବିଜେପି ସବୁଠାରୁ ଅଧିକ କାମ କରିଥିବା କହିଛନ୍ତି ଶାହା । ତେବେ ଏହି ଭର୍ଚୁଆଲ ରାଲିରେ ରାଜ୍ୟବାସୀଙ୍କ ପାଖରେ ପ୍ରତିଟି ଟଙ୍କାର ହିସାବ ରଖିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ।
ଶାହା କହିଛନ୍ତି ଯେ ୫ ବର୍ଷରେ ମୋଦି ସରକାର ଓଡ଼ିଶାକୁ ଦେଇଛନ୍ତି ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ଦେଇଥିବା ବେଳେ କଂଗ୍ରେସ ସରକାର ଓଡ଼ିଶାକୁ ଦେଇଥିଲା ମାତ୍ର ୭୯ ହଜାର କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ମୋଦି ଭାରତର ଗୌରବ ବୃଦ୍ଧି ପାଇଁ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଯାହା କୁହନ୍ତି, ତାହା କରନ୍ତି । ୫୦ କୋଟି ଲୋକଙ୍କ ପାଇଁ ମୋଦି ଆୟୁଷ୍ମାନ ଭାରତ ଯୋଜନା ଆଣିଛନ୍ତି । ୧ କୋଟି ଲୋକ ସେମାନଙ୍କର ଅପରେସନ ମାଗଣାରେ କରାଇଛନ୍ତି । ସେହିପରି ୧୦ କୋଟି ଲୋକଙ୍କ ଘରେ ଶୌଚାଳୟ କରାଯାଇଥିବା ବେଳେ ୮ କୋଟି ଲୋକ ଉଜ୍ଜଳା ଯୋଜନା ଦ୍ବାରା ଧୁଆଁରୁ ମୁକ୍ତି ପାଇଛନ୍ତି ବୋଲି ଶାହା କହିଛନ୍ତି ।
କଂଗ୍ରେସକୁ ଟାର୍ଗେଟ କରି ଗୃହମନ୍ତ୍ରୀ କହିଛନ୍ତି ଯେ ଏବେ କେନ୍ଦ୍ର ଟଙ୍କାଏ ଦେଲେ ଲୋକଙ୍କ ପାଖରେ ଟଙ୍କାଏ ପହଞ୍ଚୁଛି । ଅଢେଇ କୋଟି ଲୋକଙ୍କ ଘରେ ବିଜୁଳ ଆଲୁଅ ପହଞ୍ଚିଛି । ବଂଶବାଦ, ଭ୍ରଷ୍ଟାଚାର ଓ ତୁଷ୍ଟୀକରଣ ରାଜନୀତିରେ କଂଗ୍ରେସ ବିଶ୍ବାସ କରୁଥିବା ସେ କହିଛନ୍ତି ।