ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ସୃଷ୍ଟି ହୋଇଛି ଦ୍ଵନ୍ଦ୍ୱ । ଅଣମୌସୁମୀ ସମୟରେ ରାଜ୍ୟକୁ ମିଳୁଥିବା ଜଳ ନେଇ ଦ୍ଵନ୍ଦ୍ୱ ସୃଷ୍ଟି ହୋଇଛି । ଜଳ ସମ୍ପଦ ମନ୍ତ୍ରୀ ଏବଂ ଯନ୍ତ୍ରୀଙ୍କ ତଥ୍ୟରେ ତାଳମେଳ ରହୁନଥିବାରୁ ଦ୍ଵନ୍ଦ୍ୱରେ ପଡିଛନ୍ତି ରାଜ୍ୟବାସୀ । ଉପର ମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ ଯୋଗୁଁ ମହାନଦୀରେ ଜଳ କମୁଥିବା ଗତକାଲି ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି । ଆଜି ଯନ୍ତ୍ରୀ କହିଛନ୍ତି ରାଜ୍ୟକୁ ମିଳୁଛି ଆବଶ୍ୟକୀୟ ଜଳ । ହେଲେ ଗ୍ରାଉଣ୍ଡରେ ଅଭିଯୋଗ ହେଉଛି କି ମହାନଦୀରେ କମିଛି 30 ପ୍ରତିଶତ ଅଣମୌସୁମୀ ଜଳ ପ୍ରବାହ ।
କିଏ କହୁଛି ସତ ? ଜଳ ସମ୍ପଦ ମନ୍ତ୍ରୀ ନା ବିଭାଗୀୟ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ? ନା ସତ ପ୍ରମାଣିତ ହେଉଛି ଗ୍ରାଉଣ୍ଡ ଜିରୋ ରିପୋର୍ଟ ? କାହା ସହିତ କାହାର ତାଳମେଳ ନାହିଁ । ତେବେ ମହାନଦୀର ବାସ୍ତବ ସ୍ଥିତି କ’ଣ ? ଏନେଇ ଅନ୍ଧାରରେ ରାଜ୍ୟବାସୀ । ଅଣମୌସୁମି ସମୟରେ ମହାନଦୀରେ ଜଳ ପ୍ରବାହ କମିଛି ନା ସ୍ଥିର ଅଛି । ଗୋଟିଏ ପଟେ ବର୍ଷା ଋତୁରେ ମହାନଦୀ ବନ୍ୟାରେ ରାଜ୍ୟକୁ ବୁଡାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛୁ ବନ୍ୟା ବିଭୀଷିକା । ବିପୁଳ ପରିମାଣର କ୍ଷୟକ୍ଷତି ସହୁଛି ରାଜ୍ୟ । ଅଥଚ ଗ୍ରୀଷ୍ମରେ ମହାନଦୀର ଜଳ ଧାର ଶୁଖିଯାଉଛି । ଗ୍ରାଉଣ୍ଡ ରିପୋର୍ଟ କହୁଛି, ମହାନଦୀରେ କମିଛି 30 ପ୍ରତିଶତ ଅଣମୌସୁମୀ ଜଳ ପ୍ରବାହ । ପୂର୍ବ ବର୍ଷ ଏବଂ ଚଳିତ ବର୍ଷ ମହାନଦୀରେ ଜଳ ପ୍ରବାହ ଠିକଠାକ ଅଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି ।