ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି । ଟିମରେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ,5T ସଚିବ ଭି.କେ ପାଣ୍ଡିଆନ , ବାଣିଜ୍ୟ ଓ ପରିବହନ ବିଭାଗ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର 2 ଜିଲ୍ଲା ଜଗତସିଂହପୁର ଓ କେନ୍ଦ୍ରାପଡା ଗସ୍ତ କରିଛନ୍ତି । ଏଥିରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଓ ବିଭିଗୀୟ ଅଧିକାରୀ ସାମିଲ ହୋଇଥିଲେ । ଏହି ବରିଷ୍ଠ ଅଧିକାରୀଙ୍କ ସମେତ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଓ ଅନ୍ୟ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି ।
ସୂଚନା ଯୋଗ୍ୟ ଯେ, ପାରାଦୀପ ବନ୍ଦର ଟ୍ରଷ୍ଟ ଦ୍ବାରା ମହାନଦୀ ବନ୍ଦରର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ସହମତି ପ୍ରକାଶ କରିଛି । ଯାହାର ଏମଓୟୁ ସ୍ଵାକ୍ଷର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଆଖଡାଶାଳି ଗ୍ରାମଅଞ୍ଚଳରେ ହେବାକୁ ଯାଉଥିବା ଏହି ବନ୍ଦର ସବୁଦିନିଆ ବହୁମୁଖୀ ସେବା ଯୋଗାଇବ । ବାର୍ଷିକ ୫୪ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଏହି ବନ୍ଦର ୪,୦୬୨ କୋଟି ଟଙ୍କା ବ୍ୟୟରେ ପିପିପି ମୋଡରେ ନିର୍ମାଣ ହେବାକୁ ଯାଉଛି । ଯାହାର ୨୨ ମେଟ୍ରିକ ଟନ କ୍ଷମତା ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଏନେଇ ସହାୟକ ଭିତ୍ତିଭୂମି ଯେପରି ରାସ୍ତାଘାଟ, ରେଳ ଯୋଗାଯୋଗ ଆଦି ବିକାଶ ଦାୟିତ୍ବ ପାରାଦୀପ ପୋର୍ଟ ଟ୍ରଷ୍ଟକୁ ପ୍ରଦାନ କରାଯାଇଛି।