ଭୁବନେଶ୍ବର: ଖରା ହେଉକି ବର୍ଷା । ସବୁବେଳେ ଲୋକଙ୍କ ସୁରକ୍ଷା ପାଇଁ ଟ୍ରାଫିକ ପୋଷ୍ଟରେ ନିଜର କର୍ତ୍ତବ୍ୟ କରିଚାଲିଥାଏ ଟ୍ରାଫିକ ପୋଲିସ । ଖରାରୁ ମୁକ୍ତି ଦେବାକୁ ଗତବର୍ଷ ଆରମ୍ଭ ହୋଇଥିଲା କୁଲ ମ୍ୟାଜିକ ଜ୍ୟାକେଟର ବ୍ୟବସ୍ଥା। କଟକ ଏବଂ ଭୁବନେଶ୍ବରରେ ଥିବା ଟ୍ରାଫିକ କର୍ମଚାରୀ ଗତ ବର୍ଷ ଏହାର ଲାଭ ଉଠାଇଥିଲେ। ତେବେ ଚଳିତ ବର୍ଷ ମଧ୍ୟ ଏବେ ଠାରୁ ହେଲାଣି ଅସହ୍ୟ ଖରା । ତେଣୁ ଟ୍ରାଫିକ ପୋଲିସ ଏହି କୁଲିଂ ଜ୍ୟାକେଟର ବ୍ୟବହାର କରିବା ଆରମ୍ଭ କରିସାରିଲେଣି।
ସୂଚନା ଅନୁସାରେ, ଗତବର୍ଷ ଏପ୍ରିଲ୍ ୩୦ ତାରିଖରେ ପୂର୍ବତନ ପୋଲିସ କମିଶନର ୱାଇ ବି ଖୁରାନିଆ ଏହି କୁଲିଂ ଜ୍ୟାକେଟର ଶୁଭାରମ୍ଭ କରିଥିଲେ। ଚଳିତ ବର୍ଷ ଅଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କଟକରେ ଥିବା ୩୦୦ ଟ୍ରାଫିକ କର୍ମଚାରୀଙ୍କୁ ଏପରି ସୁବିଧା ପ୍ରଦାନ କରାଯାଇଛି। ଟ୍ରାଫିକ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି କରିବା ଲାଗି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ଟ୍ରାଫିକ କର୍ମଚାରୀଙ୍କୁ କୁଲିଂ ଜ୍ୟାକେଟ ଦିଆଯାଇଥିଲା।