ଭୁବନେଶ୍ବର:ରାଜ୍ୟରେ ଆଜିଠୁ କମିବ ଲଘୁଚାପର ପ୍ରଭାବ । କାଲିଠୁ ପାଗରେ ପରିବର୍ତ୍ତନ ହେବା ସହ ଆଗାମୀ ୫ଦିନ ପାଗ ଶୁଖିଲା ରହିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅପେକ୍ଷାକୃତ ଦୁର୍ବଳ ହୋଇଛି । ଏଥିପାଇଁ ରାଜ୍ୟରେ ବିଶେଷ ବର୍ଷା ହୋଇନାହିଁ । ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର ଦିଗରେ ଗତି କରି ଛତିଶଗଡ଼ ମୁହାଁ ହୋଇଛି । ଛତିଶଗଡ଼ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର ।
ଆଜିଠୁ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ, ଆଗାମୀ ୫ ଦିନ ପାଗ ଶୁଖିଲା ଲଘୁଚାପ ସ୍ଥଳଭାଗ ମୁହାଁ ହୋଇଥିବାରୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟରେ ୧୧୪୦.୯ ମିମି ବର୍ଷା ରେକର୍ଡ ହୋଇଛି । ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ବର୍ଷା ୮୩୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । କନ୍ଧମାଳ, ବୌଦ୍ଧ, ଗଜପତି, କୋରାପୁଟ ଓ ଢେଙ୍କାନାଳ ଆଦି ୫ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି ।
ଅବଶିଷ୍ଟ ୨୫ ଜିଲ୍ଲାରେ ସ୍ବଭାବିକ ବର୍ଷା ହୋଇଛି । ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଶାରୁ ମୌସୁମୀ ସମ୍ପୂର୍ଣ୍ଣ ଭାବରେ କେବେ ଯିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ନଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ୩ ଦିନ ବିଳମ୍ବରେ ଆରମ୍ଭ ହୋଇଛି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଆଗକୁ ଆଉ ଏକ ଘୁର୍ଣ୍ଣିବଳୟ ଆସୁଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଫଳରେ ଓଡିଶାର କିଛି କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଏଯାବତ ମୌସୁମୀ ଋତୁରେ ୧୧୫୩.୩ ମିଲିମଟର ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ ରହିଛି । ଏଯାବତ ରାଜ୍ୟରେ ୫ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ଏବଂ ୨୫ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଯାହା ଆଗାମୀ ଧାନ ଚାଷ ପାଇଁ ବେଶ ଅନୁକୂଳ ବୋଲି ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବିଭାଗ ।
ଇଟିଭି ଭାରତ, ଭୁବନେଶ୍ବର