ହାଇଦ୍ରାବାଦ:କଥାରେ ଅଛି ପ୍ରେମ ଚିରନ୍ତନ, ପ୍ରେମ ଶାଶ୍ବତ, ପ୍ରେମ ବିନା ଜୀବନଟା ବଡ ଅଧୁରା । ପ୍ରେମର ଏହି କିଛି ବାକ୍ୟକୁ ଏବେ ଫୁ କରି ଉଡାଇଦେଇଛନ୍ତି ପ୍ରେମର ଯାତ୍ରାରେ ଅସଫଳ ହୋଇଥିବା କିଛି ପ୍ରେମ ପଥିକ । ବର୍ଷ ଆରମ୍ଭରୁ ହିଁ ଗଡିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ସ୍ବାର୍ଥନିହିତ ପ୍ରେମ ଓ ଏକପାଖିଆ ପ୍ରେମର କରୁଣ ପରିଣତିରୁ କେତେବେଳେ ଘଟୁଛି ହତ୍ୟାକାଣ୍ଡ ତ କେତେବେଳେ ଆତ୍ମହତ୍ୟା । ମହାମାରୀ ଭଳି ବଢିଚାଲିଛି ପ୍ରେମ ଜନିତ ଆତ୍ମହତ୍ୟା ମାମଲା । କିଏ ପ୍ରେମରେ ଧୋକା ଖାଇ ଆତ୍ମହତ୍ୟା କରୁଛି ତ ଆଉ କିଏ ଜଘନ୍ୟ ହତ୍ୟାକାଣ୍ଡ କରିବାକୁ ପଛାଉ ନାହିଁ । ରକ୍ତର ଛିଟାରେ ଲାଲ ହେଉଛି ରାଜଧାନୀ ସମେତ ବିଭିନ୍ନ ଜିଲ୍ଲା । କ୍ରାଇମ ହବ୍ ପାଲଟିଲାଣି ଓଡିଶା । କାହିଁକି ଘଟୁଛି ଏଭଳି ହତ୍ୟାକାଣ୍ଡ । ପ୍ରେମରେ ଧୋକା ନା ଆଉ କିଛି ରହିଛି ଗୁଢ ରହସ୍ୟ । ଏ ନେଇ ସ୍ବତନ୍ତ୍ର ରିପୋର୍ଟ...
31 ତାରିଖ ସକାଳ । ଚାଞ୍ଚଲ୍ୟ ଖେଳିଯାଇଥିଲା ପୁରା ରାଜଧାନୀରେ । ମଡେଲ ତଥା କାଫେ ମାଲିକ ସୌମ୍ୟରଞ୍ଜନ ପାଣିଗ୍ରାହୀ କରିଥିଲେ ଆତ୍ମହତ୍ୟା । ସ୍ତବ୍ଧ ହୋଇଯାଇଥିଲା ନନ୍ଦନବିହାରର ଏଲଆଇସି କଲୋନୀ । ଯବାନ ପୁଅର ମୃତଦେହ ଦେଖି ହତବାକ୍ ହୋଇଯାଇଥିଲେ ପୁରା ପରିବାର । କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା କଲୋନୀ। ନିଆଁ ବେଗରେ ଏହି ଖବର ଚାରିଆଡେ ପ୍ରଚାରିତ ହୋଇଗଲା । କାହାଣୀରେ ସେତେବେଳେ ଆସିଥିଲା twist ।
ଯେତେବେଳେ ସୌମ୍ୟଙ୍କ ମୃତଦେହ ପାଖରୁ ମିଳିଥିଲା ହାତ ଲେଖା ସୁଇସାଇଡ୍ ନୋଟ୍ । ନୋଟ୍ରେ ଲେଖା ହୋଇଥିଲା ଧୋକା ବାଜ୍ କଣ୍ଠଶିଳ୍ପୀ ପ୍ରେମିକାର ପ୍ରତାରଣା ସମ୍ପର୍କରେ । କିପରି ଭାଙ୍ଗିଥିଲା ହୃଦୟ । କାହା ପାଇଁ ବାଛିଲେ ସେ ମୃତ୍ୟୁର ବାଟ । କିଏ ସାଜିଥିଲା ଭିଲେନ୍ । ଏ ସବୁର ଉତ୍ତର ଦେଇଥିଲା ଫର୍ଦ୍ଦେ ଧଳା କାଗଜରେ ଅଙ୍କାବଙ୍କା ହୋଇ ଲେଖାହୋଇଥିବା ସୌମ୍ୟଙ୍କ ହାତ ଲେଖା ଚିଠି । ସୁନ୍ଦର ଓ ବଳିଷ୍ଠ ଚେହେରା ସାଙ୍ଗକୁ ଧନାଢ୍ୟ ପରିବାରରେ ଜନ୍ମ ହୋଇମଧ୍ୟ କାହିଁକି ସେ ନେଲେ ଏପରି ଚରମ ପଦକ୍ଷେପ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ମୃତ୍ୟୁ ଘଟଣାକୁ 7 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ନେଇନି କୌଣସି କାର୍ଯ୍ୟାନୁଷ୍ଠାନ । ତାହା ନେଇ ସନ୍ଦେହ ଦୂରୀଭୂତ ହେବାରେ ଲାଗିଛି ।