ଭୁବନେଶ୍ବର: କାଳିଆକୁ କୁହନ୍ତି ଭାବର ଠାକୁର। ସେ ଭକ୍ତର ଭାବରେ ସବୁବେଳେ ବନ୍ଧା। ଭକ୍ତ ସାଲବେଗର ଡାକ ଶୁଣି ରଥ ଅଟକାନ୍ତି ତ, କେଉଁଠି ଭକ୍ତ ଦାସିଆ ବାଉରୀର ହାତରୁ ନଡ଼ିଆ ନିଜେ ନେଇଯାଆନ୍ତି। ଆଉ ଏପରିକି ଭକ୍ତର ବାଲି ରଥରେ ମଧ୍ୟ ସେ ଆସି ବିରାଜମାନ କରିଥିବାର କିମ୍ବଦନ୍ତୀ ରହିଛି। ଆଉ ଏହି ଆଧୁନିକ ଯୁଗରେ ମଧ୍ୟ ସେ ଭକ୍ତର ମନ କଥା ଶୁଣିବା ସହ ହାତରେ ତିଆରି ରଥରେ ବିଜେ କରିବାକୁ ସ୍ବପ୍ନାଦେଶ ମଧ୍ୟ କରିଛନ୍ତି। ଯାହା ଅବିଶ୍ବାସ ଲାଗୁଥିଲେ ମଧ୍ୟ ସତ । ଆଉ ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରର ୟୁନିଟ-8 ଅଞ୍ଚଳରେ।
ୟୁନିଟ-8 ରହୁଥିବା ଦିଲ୍ଲୀପ କୁମାର ପ୍ରଧାନ ଛୋଟବେଳୁ ଭଗବାନଙ୍କୁ ଅହେତୁକ ଭଲ ପାଇବା ସହ ସୋଲରେ ରଥ ନିର୍ମାଣ କରି ସହିତ ପୂଜା କରିଆସୁଥିଲେ। ପାଖାପାଖି 12 ରୁ 15 ବର୍ଷ ହେବ ସେ ଏପରି କରି ଆସୁଥିବା ପ୍ରକାଶ କରିଛନ୍ତି। ତେବେ ଚଳିତ ବର୍ଷ କୋରୋନା କଟକଣା ଲାଗିବା ପରେ ଶ୍ରୀମନ୍ଦିର ଭକ୍ତମାନଙ୍କ ପାଇଁ ଦର୍ଶନ ବନ୍ଦ ଘୋଷଣା ହେବାର ପୂର୍ବଦିନ ମନ୍ଦିରରେ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଆଉ ସେହିଠାରେ ସେ ମନ୍ଦିରର ରଥଖଳାରେ ରଥ ନିର୍ମାଣ ଦେଖି ଭଗବାନଙ୍କ ନିକଟରେ ନିଜ ହାତ ତିଆରି ରଥରେ ବସାଇବା ପାଇଁ ଆଜ୍ଞା ମାଗିଥିଲେ। ଆଉ ଭଗବାନ ଜଣେ ସାଧୁ ବେଶରେ ତାଙ୍କ ସ୍ବପ୍ନରେ ଆସିବା ସହ ଏହାକୁ କରିବା ପାଇଁ ଆଦେଶ ଦେଇଥିଲେ।