ଭୁବନେଶ୍ବର: କୋରୋନା କାୟାରେ ବିଶ୍ବ । ମୁକାବିଲା ଲାଗି ଦେଶରେ ହୋଇଛି ଲକଡାଉନ । ହେଲେ ଏହି ସମୟରେ ଅଧିକ ଦହଗଞ୍ଜ ହେଉଛନ୍ତି ଦିବ୍ୟାଙ୍ଗ । ଦିବ୍ୟାଙ୍ଗମାନେ କରିଥିବା ଛୋଟମୋଟ ଦୋକାନ ବନ୍ଦ ଥିବାରୁ ନାନା ହଇରାଣରେ ଜୀବନ କାଟୁଛନ୍ତି ଏମାନେ ।
ସରକାର 3 ମାସର ଭତ୍ତା ଏକକାଳୀନ ଦେଇଥିଲେ ବି ତାହା ଗୁଜୁରାଣ ମେଣ୍ଟାଇବାକୁ ଯଥେଷ୍ଟ ହେଉନି । ସେହିପରି ସାମାଜିକ ଦୂରତା ଦୃଷ୍ଟିରୁ ଆବାସିକ ବିଦ୍ୟାଳୟ ବନ୍ଦ ଥିବାରୁ ସମସ୍ତ ଶିକ୍ଷାର୍ଥୀ ଘରକୁ ଯାଇଛନ୍ତି । ସେମାନଙ୍କ ଖାଦ୍ୟ ବାବଦକୁ ବ୍ୟାଙ୍କ ଆକାଉଣ୍ଟରେ ପଇସା ଦିଆଯାଉଛି । ଏହା ଜୁନ 30 ପର୍ଯ୍ୟନ୍ତ ପଠାଯିବ। ହେଲେ ସେମାନଙ୍କର ପାଠପଢା ପାଇଁ ସେଭଳି କିଛି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇନି ।
ସେପଟେ ଏହି ସମୟରେ ଦିବ୍ୟାଙ୍ଗଙ୍କ ପାଇଁ କମିଶନ ଓ ବିଭାଗ ପକ୍ଷରୁ ଏକ ହେଲ୍ପ ଲାଇନ ନମ୍ବର ବ୍ୟବସ୍ଥା କରାଯାଇଛି। 18003456737 ନମ୍ବରରେ କଲ୍ କରି ଦିବ୍ୟାଙ୍ଗ ମାନେ ସେମାନଙ୍କ ଅସୁବିଧା ବାବଦରେ କହିପାରିବେ ବୋଲି କୁହାଯାଇଛି । ତେବେ ଲକ୍ଡାଉନ୍ ସମୟରେ ଏହି ନମ୍ବରକୁ 1000ରୁ ଅଧିକ କଲ ଆସିଛି। ସେମାନଙ୍କୁ ସାହାଯ୍ୟ ମଧ୍ୟ କରାଯାଉଛି ।