ଭୁବନେଶ୍ବର: ବର୍ତ୍ତମାନ ଲକ୍ ଡାଉନ୍ ସମୟରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ପାଇଁ ଆହାର କେନ୍ଦ୍ର ପାଲଟିଛି ସାହାରା । ରାଜ୍ୟର ୩୦ ଟି ଜିଲ୍ଲାରେ ଡାକ୍ତରଖାନା ପରିସରରେ ଓ ଏହାର ଆଖପାଖ ଥିବା ୬୭ଟି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ପ୍ରାୟ ୩୦ ହଜାରରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । କୋରୋନା ପାଇଁ ରାଜ୍ୟ ସରକାର ଆହାର କେନ୍ଦ୍ର ଗୁଡିକ ଉପରେ କଟକଣା ଲଗାଇଥିବା ବେଳେ ଡାକ୍ତରଖାନା ପରିସର ଓ ଏହାର ନିକଟରେ ଥିବା ଆହାର କେନ୍ଦ୍ରର ଗୁରୁତ୍ବକୁ ଉପଲବ୍ଧି କରି ସେହି ସବୁ ଆହାର କେନ୍ଦ୍ର ଖୋଲା ରଖିବା ପାଇଁ ସ୍ଥିର କରିଥିଲେ ।
ସେହି ଅନୁଯାୟୀ ଉକ୍ତ ୬୭ଟି ଆହାର କେନ୍ଦ୍ରରେ ନିୟମିତ ଖାଦ୍ୟ ପରିବେଷଣ କରାଯାଉଛି । ଗତ ସୋମବାର ଏହି ସମସ୍ତ ଆହାର କେନ୍ଦ୍ରରେ ଦିନବେଳା ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଲୋକ ଖାଦ୍ୟ ଖାଇଛନ୍ତି । ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେକ କେନ୍ଦ୍ରରେ ରାତ୍ରୀକାଳୀନ ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ସବୁ ଆହାର କେନ୍ଦ୍ରରେ କେବଳ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟ ନୁହେଁ ଅନେକ ଗରିବ ଲୋକ ମଧ୍ୟ ଏହି ବନ୍ଦ ସମୟରେ ଖାଦ୍ୟ ପାଇ ପାରୁଛନ୍ତି ।