ଭୁବନେଶ୍ବର: ଭାରତରେ ପ୍ରତି ୪ ଜଣରେ ଜଣଙ୍କର ମୃତ୍ୟୁ ହୃଦ୍ଘାତ କାରଣରୁ ହୋଇଥାଏ । ବର୍ତ୍ତମାନ ସମୟରେ ସମଗ୍ର ଦେଶରେ ହୃଦରୋଗ ମୃତ୍ୟୁର ମୁଖ୍ୟ କାରଣ ଭାବେ ଉଭା ହୋଇଛି । ନିକଟରେ ହସ୍ପିଟାଲ ବାହାରେ ହଠାତ୍ ହୃଦ୍ଘାତ କାରଣରୁ ଦେଶରେ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି । ଅଧ୍ୟୟନ ଅନୁଯାୟୀ, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ କାରଣରୁ ଘରେ ଥିବା ସମୟରେ ହୃଦ୍ଘାତର ମାତ୍ରା ୬୦ରୁ ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।
ହୃଦ୍ଘାତ ହୃଦରୋଗ ସମେତ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ (ଏଏଚଏ) ଏବଂ ଏମ୍ସ ଭୁବନେଶ୍ବରର(Aiims Bhubaneswar) ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ନିମନ୍ତେ ହୃଦ୍ଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲ୍ମୋନାରୀ ରିସ୍ୟୁସିଟେସନ୍ (ସିପିଆର)(Cardiopulmonary Resuscitation) ପ୍ରଦାନ ବେଶ ଗୁରୁତ୍ବପୂର୍ଣ୍ଣ ।
ତୁରନ୍ତ ଚିକିତ୍ସା ସୁବିଧା କିମ୍ବା ଆମ୍ବୁଲାନ୍ସ ଉପଲବ୍ଧତା ସମୟ ପାଇବା ପାଇଁ ହୃଦ୍ଘାତର କିଛି ସମୟ ମଧ୍ୟରେ ଏହି ଜୀବନ ରକ୍ଷାକାରୀ ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଚିକିତ୍ସା ସେବା ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ମସ୍ତିଷ୍କକୁ ଜୀବିତ ରଖିବା ନିମନ୍ତେ ଉକ୍ତ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଙ୍କ ଭୂମିକା (ଜୀବନ ରକ୍ଷାକାରୀ) ଗୁରୁତ୍ବପୂର୍ଣ୍ଣ ହୋଇଯାଏ ।
ହୃଦ୍ଘାତରୁ ବଞ୍ଚିବା ମୁଖ୍ୟତଃ ସିପିଆର କେତେ ଶୀଘ୍ର ଆରମ୍ଭ ହୁଏ ଏବଂ ଦିଆଯାଇଥିବା ସିପିଆରର ଗୁଣବତ୍ତା ଉପରେ ନିର୍ଭର କରେ । ଭାରତରେ ଗୋଷ୍ଠୀଙ୍କୁ ସଠିକ ସିପିଆର ସମ୍ପର୍କରେ ତାଲିମ ପ୍ରଦାନ ବେଶ ମହତ୍ବପୂର୍ଣ୍ଣ । କାରଣ ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ ।