ଭୁବନେଶ୍ବର: କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନ କରିବାକୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ । ଏନେଇ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ନଗେନ୍ଦ୍ର ନାଥ ସିହ୍ନା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି ।
କେନ୍ଦ୍ରୀୟ ସଚିବ ଚିଠିରେ ଦର୍ଶାଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ସ୍ୱତନ୍ତ୍ର ବଜେଟର ଅନୁମୋଦନ କରାଯାଉଛି । ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନାମରେ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ଅନ୍ୟ କୌଣସି ନାମ ଯୋଡି ହୋଇପାରିବ ନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟତୀତ ଅନ୍ୟ କୌଣସି ଲୋଗୋ ଏଥିରେ ବ୍ୟବହାର ପାଇଁ ରାଜ୍ୟ ସରକାରଙ୍କୁ ଅଧିକାର ପ୍ରଦାନ କରାଯାଇନାହିଁ । ବିଜୁ ପକ୍କାଘର ଲୋଗୋ ଅନୁମୋଦିତ ନୁହେଁ । ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ।