ଭୁବନେଶ୍ବର: ମଙ୍ଗଳବାର କୋଟପାଡ ଚିତ୍ରା ପଞ୍ଚାୟତରେ 16 ବର୍ଷର ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ହୋଇଛି । ଯାହାକୁ ନେଇ ସରକାରଙ୍କୁ ନିନ୍ଦା କରିବା ସହ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଲେଖାଶ୍ରୀ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଦର୍ଶାଉଛି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଏବଂ ଓଡି଼ଶା ମହିଳାଙ୍କ ପାଇଁ ଅସୁରକ୍ଷିତ। ପୋଲିସ ଓ ପ୍ରଶାସନର ଅପରାଧୀଙ୍କ ପ୍ରତି କୋହଳ ମନୋଭାବ ଯୋଗୁଁ ଏଭଳି ଘଟଣା ବଢୁଛି। ପୀଡ଼ିତା ପ୍ରତି ଅସମ୍ବେଦନଶୀଳତା କାରଣରୁ ଏ ଅପରାଧୀ ସେମାନେ ଖସି ଯାଉଛନ୍ତି।
ବୀରମିତ୍ରପୁର ଘଟଣା ହେଉ କି ମାଲକାନଗିରି ଘଟଣା, କୌଣସି ଘଟଣାରେ ବି ସମସ୍ତ ଅପରାଧୀ ଏବେ ଯାଏ ଧରା ପଡ଼ିନାହାଁନ୍ତି। ଗୋଟେ ଅଧେ ଅପରାଧୀଙ୍କୁ ଧରି ପୋଲିସ ନିରବ ହୋଇ ବସିଛି। ଲେଖାଶ୍ରୀ ଏହାସହ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ରାଜ୍ୟର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ନିଜ ସାମ୍ବିଧାନିକ ଦାୟିତ୍ବକୁ ସମ୍ପୂର୍ଣ୍ଣ ଭାବେ ହାତଛଡା କରି ସେ ବସି ରହିଛନ୍ତି ।