ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜାରି ରହିଥିଲା ବେଳେ ଏବେ ପୌର ନିର୍ବାଚନ ପାଇଁ ବାଟ ଫିଟିଛି । ପୌର ଆଇନରେ ସଂଶୋଧନକୁ ରାଜ୍ୟପାଳ ଅନୁମୋଦନ ଦେଲା ପରେ ଆଇନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ଏହି ସଂଶୋଧିତ ଆଇନ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ପରି ପୌର ନିର୍ବାଚନରେ ମଧ୍ୟ ସଂରକ୍ଷଣକୁ ସର୍ବାଧିକ 50% ଭିତରେ ସୀମିତ ରଖାଯିବ । ସେହିପରି ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସୀମା 27 ପ୍ରତିଶତ ମଧ୍ୟରେ ରହିବ ।
ମହାନଗର ନିଗମର ମେୟର ଓ ପୌରସଂସ୍ଥାର ଅଧ୍ୟକ୍ଷ ପଦବୀ ପାଇଁ ପଛୁଆବର୍ଗଙ୍କ ସକାଶେ 27 ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ରହିବ । ଗେଜେଟ୍ ବିଜ୍ଞପ୍ତି ଜାରି ହେବା ପରେ ଏବେ ନଗର ଉନ୍ନୟନ ବିଭାଗ ଉପରେ ରାଜନୈତିକ ମହଲର ନଜର ରହିଛି । ବିଭାଗ ପକ୍ଷରୁ ଯେ କୌଣସି ଦିନ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ । ଏଥର ପୌର ନିର୍ବାଚନରେ ୱାର୍ଡ ପୁନର୍ଗଠନ ସହ ସଂରକ୍ଷଣ କରାଯିବ । ତେଣୁ ଏଥିପାଇଁ ସର୍ବନିମ୍ନ ଦୁଇରୁ ତିନି ମାସ ସମୟ ଲାଗିପାରେ । ବର୍ତ୍ତମାନ ସରକାର ପଞ୍ଚାୟତ ନିର୍ବାଚନ ଉପରେ ଧ୍ୟାନ ରଖିଥିବାରୁ ସେହି ସମୟରେ ପୌର ନିର୍ବାଚନ ହେବାର ସମ୍ଭାବନା କମ୍ । ଆସନ୍ତା ବର୍ଷ ଦ୍ବିତୀୟାର୍ଦ୍ଧରେ ପୌର ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି ।