ଭୁବନେଶ୍ବର: ସ୍ବରର ରାଣୀ ଲତା ମଙ୍ଗେଶକରଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 3 ଦିନିଆ ଓଡିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ପୂର୍ବରୁ ସ୍ୱର ସାମ୍ରାଜ୍ଞୀ ଭାରତ ରତ୍ନ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଲତା ଦିଦିଙ୍କ ବିୟୋଗରେ ସଙ୍ଗୀତ ଜଗତରେ କିମ୍ବା ଦେଶରେ ଯେଉଁ ଅପୂରଣୀୟ କ୍ଷତି ଘଟିଛି ତାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ବୋଲି ଅଶ୍ବିନୀ ବୈଷ୍ଣବ କହିଛନ୍ତି । ଏଥିସହ ଜଗନ୍ନାଥଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ସୂଚନା ଅନୁଯାୟୀ, ଆଜି(ରବିବାର) ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ ଘଟିଛି ।