ଓଡିଶା

odisha

ETV Bharat / city

ମିଶନ ଶକ୍ତି: ଦୁଇ ବର୍ଷରେ ହୋଇଛି ମହିଳାଙ୍କ ୩୫୮୩ କୋଟିର ବ୍ୟବସାୟ - ଲୋକସେବା ଭବନ

ପାଞ୍ଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ 5 ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଦୁଇବର୍ଷରେ ମିଶନ ଶକ୍ତି ବିଭାଗ 3583 କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ସଂଯୋଜିତ କରିଛି । ଅଧିକ ପଢନ୍ତୁ...

last two years 3583 crores business by mission shakti's women
ଦୁଇ ବର୍ଷରେ ମିଶନ ଶକ୍ତି ମହିଳାଙ୍କ ୩୫୮୩ କୋଟିର ବ୍ୟବସାୟ

By

Published : Jul 28, 2021, 10:24 PM IST

ଭୁବନେଶ୍ବର:ପାଞ୍ଚ ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ମାଧ୍ୟମରେ 5 ହଜାର କୋଟି ଟଙ୍କାର ସରକାରୀ ବ୍ୟବସାୟ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ଦୁଇବର୍ଷରେ ମିଶନ ଶକ୍ତି ବିଭାଗ 3583 କୋଟି ଟଙ୍କାର ବ୍ୟବସାୟ ବିଭିନ୍ନ ବିଭାଗରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସହ ସଂଯୋଜିତ କରିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ଦୁଇ ବର୍ଷରେ ମିଶନ ଶକ୍ତି ମହିଳାଙ୍କ ୩୫୮୩ କୋଟିର ବ୍ୟବସାୟ

ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ୍‌ ଏ ସମ୍ବନ୍ଧିତ ବିଷୟ ଏବଂ ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟବସାୟରେ ସାମିଲ୍‌ କରିବା ଦିଗରେ ବିଭିନ୍ନ ବିଭାଗମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନେଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ସହଭାଗିତା ନିମନ୍ତେ ନୂଆ ପ୍ରକଳ୍ପ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏଥିରେ ସାମିଲ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ପ୍ରାଥମିକ ସ୍ୱାସ୍ଥ୍ୟ, ଗ୍ରାମ ପଂଚାୟତ ପୋଖରୀରେ ମାଛ ଚାଷ, କୁକୁଡ଼ା ପାଳନ, ପଶୁପାଳନ, ବ୍ୟବସାୟିକ ଭିତ୍ତିରେ ପନିପରିବା ଚାଷ, କୃଷି ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ପାଇଁ ଚାରା ପ୍ରସ୍ତୁତି ନର୍ସରୀ, ବୃକ୍ଷ ରୋପଣ, ଚଣା ଓ ମାଣ୍ଡିଆ ଭିତ୍ତିକ ଦ୍ରବ୍ୟ ପ୍ରସ୍ତୁତି, କୃଷି-ଉଦ୍ୟୋଗ, ଆଶ୍ରମ ବିଦ୍ୟାଳୟ ମାନଙ୍କୁ ଖାଦ୍ୟ ଦ୍ରବ୍ୟ ଓ ପନିପରିବା ଯୋଗାଣ, ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ଜଳ ଯୋଗାଣର ତଦାରଖ, ଇକୋ-କ୍ୟାମ୍ପ ପରିଚାଳନା ଆଦି କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମିଟର ରିଡିଂ ଏବଂ ବିଦ୍ୟୁତ ଦେୟ ଆଦାୟ କାର୍ଯ୍ୟରେ ଅଧିକରୁ ଅଧିକ ଗୋଷ୍ଠୀଙ୍କୁ ସାମିଲ୍‌ କରିବା ପାଇଁ ବିଦ୍ୟୁତ ବିତରକ କଂପାନୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଛଡ଼ା କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ପଥ୍ୟ ଯୋଗାଣ, କୃଷି ବିଭାଗର ପୃଷ୍ଟି ବଗିଚା ସୃଷ୍ଟି, ସାର ଓ ଖତ ପିଟ୍‌ ନିର୍ମାଣ, ଜଳ ସାଥୀ ଏବଂ ସ୍ୱଚ୍ଛ ସାଥୀ ଆଦି କାର୍ଯ୍ୟରେ ମହିଲା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ୍‌ କରିବାର ସମ୍ଭାବନା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ବିଭାଗମାନେ ଅଧିକରୁ ଅଧିକ ପ୍ରକଳ୍ପ ଓ କାରବାର ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ୱର ସ୍ଥିତ ରାଜ୍ୟ ଗ୍ରାମୀଣ ବିକାଶ ପ୍ରତିଷ୍ଠାନ ପରିସରରେ ମିଶନ ଶକ୍ତି ବଜାର ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ମାଧ୍ୟମରେ ବର୍ଷ ତମାମ ଏହି ଗୋଷ୍ଠୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରୀର ସୁବିଧା ସୃଷ୍ଟିହେବ । ଜନସାଧାରଣ ମଧ୍ୟ ଉପଯୁକ୍ତ ଦାମରେ ବିଭିନ୍ନ ଉତ୍ପାଦ ପାଇପାରିବେ । ଅନ୍ୟାନ୍ୟ ପ୍ରମୁଖ ସ୍ଥାନମାନଙ୍କରେ ଏପରି ବଜାର ଖୋଲିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

ବିଭାଗୀୟ ଶାସନ ସଚିବ ସୁଜାତା କାର୍ତ୍ତିକେୟାନ ଜଣାଇଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶକ୍ରମେ 2019-20 ଆର୍ଥିକ ବର୍ଷରୁ 5 ବର୍ଷ ମଧ୍ୟରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ମାଧ୍ୟମରେ 5 ହଜାର କୋଟି ଟଙ୍କାର ବ୍ୟବସାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତଦନୁଯାୟୀ ପ୍ରତି ବର୍ଷ ହଜାରେ କୋଟି ଟଙ୍କାର ବ୍ୟବସାୟ ନିମନ୍ତେ ବିଭାଗୀୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

କୋଭିଡ୍‌ ସଟ୍‌ଡାଉନ୍‌ ଏବଂ ଲକ୍‌ଡାଉନ୍‌ ସତ୍ତ୍ୱେ 2019-20 ଆର୍ଥିକ ବର୍ଷରେ ଏହି ଗୋଷ୍ଠୀମାନଙ୍କ ମାଧ୍ୟମରେ ପ୍ରାୟ 1412 କୋଟି ଟଙ୍କାର ସରକାରୀ ବ୍ୟବସାୟ ହୋଇଛି । ଏ ଦିଗରେ 141 ପ୍ରତିଶତ ଲକ୍ଷ ହାସଲ ହୋଇଛି । 2020-21 ବର୍ଷରେ ଏହି ବ୍ୟବସାୟ ପରିମାଣ 2172 କୋଟି ଟଙ୍କାକୁ ବୃଦ୍ଧି ପାଇ ଲକ୍ଷ୍ୟ ହାସଲ 217 ପ୍ରତିଶତରେ ପହଞ୍ଚିଛି । 2019-20 ବର୍ଷରେ ସରକାରୀ ବ୍ୟବସାୟରେ 20, 449 ଗୋଷ୍ଠୀ ସାମିଲ୍‌ ହୋଇଥିବା ବେଳେ 2020-21 ବର୍ଷରେ 62, 514 ଗୋଷ୍ଠୀ ସାମିଲ୍‌ ହୋଇଥିଲେ ବୋଲି ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟାନ୍‌ ଜଣାଇଛନ୍ତି ।

ମୁଖ୍ୟତଃ ମହିଳା ଓ ଶିଶୁ ବିକାଶ, ଶକ୍ତି, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଦ୍ୟାଳୟ ଓ ଗଣ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, କୃଷି ଓ କୃଷକ ସଶକ୍ତି କରଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନ ବିଭାଗ ଆଦି ମାନଙ୍କ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରୀ ବ୍ୟବସାୟ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଏମଏସଏମଇ ସଚିବ ସତ୍ୟବ୍ରତ ସାହୁ, ଅର୍ଥ ସଚିବ ଅଶୋକ ମୀନାଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ଶାସନ ସଚିବ ମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

ABOUT THE AUTHOR

...view details