ଭୁବନେଶ୍ବର: ପଞ୍ଚଭୂତରେ ବିଲୀନ ହେଲା ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର । ରବିବାର ବିଳମ୍ବିତ ରାତିରେ ସିପସରୁବାଲି ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରଘୁନାଥ ମହାପାତ୍ରଙ୍କ ପୁଅ ନୀତି ନୀତେଷ ମହାପାତ୍ର ମୁଖାଗ୍ନି ଦେଇଛନ୍ତି ।
କୋରୋନା ସହିତ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଶିଳ୍ପୀ ରଘୁନାଥ ମହାପାତ୍ର । ତାଙ୍କ ବିୟୋଗରେ ସମଗ୍ର କଳାଜଗତ ସ୍ତବ୍ଧ ହୋଇଯାଇଛି । ତାଙ୍କ ନିହାଣ ମୁନ ସ୍ପର୍ଶରେ ପଥର ଦେହରେ ଜୀବନ୍ତ ହୋଇଉଠୁଥିଲା ନିଖୁଣ କାରୁକାର୍ଯ୍ୟ । ହାତୁଡି ପ୍ରହାରରେ ସତେ ଯେମିତି କଥା କହୁଥିଲା ନିର୍ଜୀବ ପଥର । ହେଲେ ଆଉ ତାଙ୍କ ହାତୁଡିର ଶଦ୍ଦ ଶୁଭିବନି କି ତାଙ୍କ କଳାକୃତ୍ତି ଦେଖିବାକୁ ମିଳିବନି । ତାଙ୍କ ହାତରେ ସେ 2ହଜାରରୁ ଅଧିକ ଶିଳ୍ପୀଙ୍କୁ ଗଢିଛନ୍ତି ।