ଭୁବନେଶ୍ବର: ବର୍ଷକ ୧୨ ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ । ଏହି ମାସଟି ମହାଦେବଙ୍କୁ ସମର୍ପିତ । ବିଶ୍ବାସ ରହିଛି ଶ୍ରାବଣ ସୋମବାର ମହାଦେବଙ୍କୁ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । ଏହି ଦିନ ଭକ୍ତଟିଏ କାହିଁ କେତେ ଦୂରରୁ ଧାଇଁ ଆସି ଭୋଳାବାବାଙ୍କୁ ଜଳଲାଗି କରିଥାଏ । ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ହେଲେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭକ୍ତ-ଭଗବାନଙ୍କ ମଧ୍ୟରେ ପାଚେରୀ ହୋଇ ଛିଡା ହୋଇଛି ମହାମାରୀ କୋରୋନା । ଶ୍ରବଣ ମାସଟିକୁ ନିରାଡମ୍ବର ଭାବରେ ପାଳନ କରିଛନ୍ତି କାଉଡିଆ । ବିନା ପାଣିଭାରରେ ଦୂରରୁ ମନର ମାନସିକ ଭଗବାନଙ୍କୁ ଜଣାଇ ମାସଟିରୁ ବିଦାୟ ଦେଇଛନ୍ତି କାଉଡିଆ ।
ପ୍ରଥମ ଓ ଦ୍ବିତୀୟ ସୋମବାର ଓ ତୃତୀୟ ସୋମବାର ପରି ଶେଷ ସୋମବାରରେ ମଧ୍ୟ ଖାଁ ଖାଁ ପଡିଛି ଶୈବପୀଠ । ସୂର୍ଯ୍ୟ ଉଦୟ ହେଲା ବେଳକୁ ଯେଉଁଠି ଶିବ ଭକ୍ତଙ୍କ କୋଳାହଳରେ ମନ୍ଦିର ଫାଟି ପଡୁଥିଲା ତାହା ଏବେ ଜନଶୂନ୍ୟ । କୋରୋନା ମୁକାବିଲାକୁ ଆଖିରେ ରାଜ୍ୟ ସରକାର ଚଳିତ ବର୍ଷ ବୋଲବମ ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଏନେଇ ବିଭିନ୍ନ ଜିଲ୍ଲାରେ କଟକଣା ଲାଗୁ ହୋଇଛି । ତେଣୁ ଏବର୍ଷ ବି ଭକ୍ତ ଓ ଭଗବାନର ମିଳନ ହୋଇପାରିନାହିଁ ।