ଗାନ୍ଧୀନଗର:କୋରୋନା ସଂକ୍ରମଣ ଭୟରେ ଓଡ଼ିଆ ଶ୍ରମିକଙ୍କୁ ଘରୁ ବାହାରି ଯିବାକୁ କହିଲେ ଘର ମାଲିକ । ଗୁଜୁରାଟ ସୁରଟରେ ଦେଖିବାକୁ ମିଳିଛି ଏଭଳି ଏକ ଦୃଶ୍ୟ । ଦେଶରେ ହୁ ହୁ ହୋଇ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କପଡ଼ା ତିଆରି କାରଖାନାରେ ତାଲା ପଡ଼ିଛି । ଫଳରେ ଏହି ସବୁ କାରଖାନାରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ବର୍ତ୍ତମାନ ରୋଜଗାର ହରାଇ ବସିଛନ୍ତି । ଗୋଟିଏ ଘରେ ପ୍ରାୟ 10ରୁ 15 ଜଣ ଓଡ଼ିଆ ଶ୍ରମିକ ରହିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ସ୍ଥିତିରେ କୋରୋନା ସଂକ୍ରମଣ ଭୟରେ ଘର ମାଲିକ ଏହି ଶ୍ରମିକଙ୍କୁ ଘର ଖାଲି କରିବାକୁ କହିଛନ୍ତି ।
ଏହାପରେ ସୁରଟକୁ ରୋଜଗାର ଆଶାରେ ଯାଇଥିବା ଏହି ଓଡ଼ିଆ ଶ୍ରମିକ ଏବେ ନିଜ ଭିଟାମାଟିକୁ ଫେରିବାକୁ ବାହାରିଛନ୍ତି । ସୁରଟରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏଥିପାଇଁ ସୁରଟରୁ ପ୍ରାୟ 50 ପ୍ରତିଶତ ଶ୍ରମିକ ଘରକୁ ଫେରି ଯାଇଛନ୍ତି । ସୁରଟର ପାଣ୍ଡେସରା, ଉଦ୍ଧନା, ସଚିନ ଓ ଅମରୋଲି ଅଞ୍ଚଳର ବିଭିନ୍ନ କାରଖାନାରେ ହଜାର ହଜାର ଓଡ଼ିଆ ଶ୍ରମିକ କାମ କରୁଛନ୍ତି । ତେବେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଭନ୍ନ ଉଦ୍ୟୋଗ ବନ୍ଦ କରାଯାଇଛି ।