ଭୁବନେଶ୍ବର: ଆଜି ସକାଳ 9ଟାରୁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି । ରେମୁଣା ଓ ବାହନଗା ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବ । ଏହି ପ୍ରକ୍ରିୟା 3 ରୁ 4 ଘଣ୍ଟା ଧରି ଚାଲିବ । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୩୦ ରୁ ୧୪୦ କିମି ରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଚାଲିଛି ଲ୍ୟାଣ୍ଡଫଲ ପ୍ରକ୍ରିୟା, ମୟୂରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ ବାତ୍ୟା ବାଲେଶ୍ଵର ଦେଇ ମୟୂରଭଞ୍ଜ ଗତି କରିବ । ଏହି ସମୟରେ ମୟୂରଭଞ୍ଜରେ ୧୦୦ ରୁ ଅଧିକ ବେଗରେ ପବନ ବହିବ । ଏହାର ପ୍ରଭାବରେ ଆଜି ଦିନ ତମାମ ବର୍ଷା ଲାଗି ରହିବ । ଲ୍ୟାଣ୍ଡଫଲର ଡାହାଣ ପଟ ଅଞ୍ଚଳରେ ଅଧିକ ଜୁଆର ଉଠିବ । ବାତ୍ୟାର ପ୍ରଭାବ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ଅପରାହ୍ନ 3ଟା ଯାଏଁ ସର୍ବାଧିକ ରହିବ । ଅପରାହ୍ନରେ ମୟୂରଭଞ୍ଜରେ ବାତ୍ୟାର ପ୍ରଭାବ ପଡିବ । ସେହିପରି ଆଜି ମଧ୍ୟ ରାତ୍ରି ସୁଦ୍ଧା ଝାଡଖଣ୍ଡ ମୁହାଁ ହେବ ବାତ୍ୟା ୟସ ।
ସେପଟେ ଉତ୍ତର ଓଡିଶାର ଉପକୂଳ ଅଞ୍ଚଳରେ ଜୁଆର ଉଠି ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ଜଣାପଡିଛି । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ବିଶେଷକରି ଗତ 24 ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲା କୁସୁମି ଠାରେ ସର୍ବାଧିକ 300 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଭଦ୍ରକ ଚାନ୍ଦବାଲିରେ 288 ମିଲିମିଟର, କେନ୍ଦ୍ରାପଡା ରାଜନଗରରେ 275 ମିଲିମିଟର ଓ ଜଗତସିଂହପୁରର ଏରସମା ଠାରେ 271 ମିଲିମିଟର ଭଳି ରାଜ୍ୟର ୩୬ଟି ସ୍ଥାନରେ 110 ରୁ 304 ମିଲିମିଟର ବର୍ଷା ହୋଇଛି ।
ଏବେ ସୁଦ୍ଧା ପ୍ରାୟ ୫ ଲକ୍ଷ ୮୦ ହଜାର ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତରଣ ହୋଇଛନ୍ତି । ବାଲେଶ୍ଵରରେ ୧ ଲକ୍ଷ ୫୨ ହଜାର, ଭଦ୍ରକରେ ୧ଲକ୍ଷ ୨୦ହଜାର, ମୟୂରଭଞ୍ଜରେ ୬୦ ହଜାର ଲୋକ ସ୍ଥାନନ୍ତରଣ ହୋଇଛନ୍ତି । ପବନ କମିଲା ପରେ ପୁଣି ସ୍ଥାନାନ୍ତରଣ କାମ ଆରମ୍ଭ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ