ଭୁବନେଶ୍ବର: ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ନାମରେ ବିଜେପି ଆଣିଥିବା ଜମି ହଡପ ଅଭିଯୋଗକୁ ନିଜେ ମହାରଥୀ ଖଣ୍ଡନ କରିଥିବାବେଳେ ବିଜେପି ତାଙ୍କୁ ମିଛୁଆଙ୍କ ସର୍ଦ୍ଦାର ବୋଲି କହିଛି । ମଙ୍ଗଳବାର ସକାଳେ ପ୍ରଦୀପ ଏହି ଅଭିଯୋଗକୁ ଖଣ୍ଡନ କରି 100 ଟଙ୍କାର ଜମି ଯଦି ମୁଁ ପିପିଲି କି ଡେଲାଙ୍ଗରେ ରେଜିଷ୍ଟ୍ରି କରିଥିବା ପ୍ରମାଣିତ ହୁଏ, ତେବେ ବିଧାନସଭା ଆସିବିନି ବୋଲି କହିଥିଲେ । ଏହାର ଜବାବ ଦେଇ ବିଜେପି ତାଙ୍କୁ ମିଛୁଆଙ୍କ ସର୍ଦ୍ଦାର କହିବା ସହ ଜିଲ୍ଲାପାଳ ତଦନ୍ତ କଲେ ଦୁଧ୍ କା ଦୁଧ୍ ପାନି କା ପାନି ହୋଇଯିବ ବୋଲି କହିଛି ।
ସୋମବାର, ପ୍ରଦୀପ ମହାରଥୀଙ୍କ ବିରୋଧରେ ବିଜେପି 100 କୋଟିରୁ ଅଧିକ ଟଙ୍କାର ସରକାରୀ ଜମି ହଡପ ଅଭିଯୋଗ ଆଣିଥିଲା । ଯାହାର ଜବାବ ଦେଇ ମହାରଥୀ କହିଛନ୍ତି,‘100 କୋଟି ତ ଦୂରର କଥା, 100 ଟଙ୍କା ଜମି ଯଦି ମୁଁ ପିପିଲି କି ଡେଲାଙ୍ଗରେ ରେଜିଷ୍ଟ୍ରି କରିଥିବା ପ୍ରମାଣିତ ହୁଏ, ତେବେ ମୁଁ ବିଧାନସଭା ଆସିବିନି ।’ ଏହାସହ ଏହି ଅଭିଯୋଗ ଆଣିଥିବା ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କୁ ଓଲଟା ଟାର୍ଗେଟ କରି ସେ ସରକାରୀ ଜମିକୁ ଚଞ୍ଚକତା କରି ନିଜ ନାମରେ କରିଥିବା ଅଭିଯୋଗ କରିଛନ୍ତି ମହାରଥୀ ।