ଭୁବନେଶ୍ବର: ଓଡ଼ିଶା ଲଳିତକଳା ଏକାଡେମୀ ପୁରସ୍କାର ଘୋଷଣା । ୩୯ତମ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ପାଇଁ ଚିତ୍ରକଳା, ଭାସ୍କର୍ଯ୍ୟ କଳା, ମୁଦ୍ରଣ କଳା, ପାରମ୍ପରିକ କଳାକୃତିଗୁଡିକ ମଧ୍ୟରୁ ଏକାଡେମୀ ଚୟନ କମିଟି ୮ଜଣଙ୍କର କୃତିକୁ ଓଡ଼ିଶା ଲଳିତ କଳା ଏକାଡେମୀ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ କରିଥିଲେ ।
ଏହି ଶିଳ୍ପୀମାନଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର ରାଶି ସ୍ୱରୂପ ପ୍ରତ୍ୟେକଙ୍କୁ ୨ଲକ୍ଷ ଟଙ୍କାର ଚେକ୍, ମାନପତ୍ର ଓ ଉପଢ଼ୈାକନ ପ୍ରଦାନ କରାଯାଇଛି । ଏହି ଅବସରରେ ୨୦୨୦ ମସିହା ପାଇଁ ରାଜ୍ୟସ୍ତରୀୟ ଅନ୍ଲାଇନ୍ ଫଟୋଗ୍ରାଫି ପ୍ରଦର୍ଶନୀର ଶ୍ରେଷ୍ଠ ୪ ଜଣ ଶିଳ୍ପୀଙ୍କୁ ରାଜ୍ୟ ‘ଫଟୋଗ୍ରାଫି’ ପୁରସ୍କାର ପ୍ରଦାନ କରାଯାଇଛି ।
ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟ ଅତିଥି ରୂପେ ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ କୋଭିଡ଼ ମହାମାରୀ ସତ୍ତ୍ବେ ମଧ୍ୟ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକାଡେମୀ ଦ୍ୱାରା ପ୍ରୟାସ କରାଯାଇଛି । ୩୯ତମ ରାଜ୍ୟ ଲଳିତ କଳା ଏକାଡେମୀ ପୁରସ୍କାର ପାଇଥିବା ସୃଜନଶୀଳ ଚିତ୍ରରେ ଅନୁପ କୁମାର ଚାନ୍ଦ, ସୂର୍ଯ୍ୟକାନ୍ତ ସ୍ୱାଇଁ ଓ ଜ୍ୟୋତି ପ୍ରକାଶ ସେଠୀ, ଭାସ୍କର୍ଯ୍ୟରେ ବିଶ୍ୱରଞ୍ଜନ କର ଓ ସୁଧିରଞ୍ଜନ ମହାରଥା, ମୁଦ୍ରଣ କଳାରେ ସୁଜିତ କୁମାର ସ୍ୱାଇଁ ଓ ବିକାଶ ଚନ୍ଦ୍ର ସେନାପତି ଏବଂ ପାରମ୍ପରିକ କଳାରେ ପ୍ରମୋଦ କୁମାର ମହାରଣା ପ୍ରମୁଖ ଶିଳ୍ପୀଙ୍କୁ ଉପଢ଼ୈାକନ, ମାନପତ୍ର ସହ ୨ଲକ୍ଷ ଟଙ୍କାର ଅର୍ଥରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି ।