ଓଡିଶା

odisha

ETV Bharat / city

କୁମାରଙ୍କ ପାଇଁ କୁମାର ପୂର୍ଣ୍ଣିମା, ସଜବାଜ ହୋଇ ଉପାସରେ ସାରା ଓଡିଶାର କୁମାରୀ - ଆଜି କୁମାର ପୂର୍ଣ୍ଣିମା

ଆଜି କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା । ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ ଚାନ୍ଦ ଚକଟି ଚନ୍ଦ୍ର ପୂଜା କରିବେ କୁମାରୀ । କୁଆଁର ପୁନେଇ ଜହ୍ନ ଗୋ...ଗୀତ ଗାଇ ଗାଁ ଦାଣ୍ଡରେ ପୁଚି ଖେଳିବେ । ଅଧିକ ପଢନ୍ତୁ...

କୁମାର ପାଇଁ କୁମାର ପୂର୍ଣ୍ଣିମା
କୁମାର ପାଇଁ କୁମାର ପୂର୍ଣ୍ଣିମା

By

Published : Oct 20, 2021, 8:24 AM IST

Updated : Oct 20, 2021, 2:25 PM IST

କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ

କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ

ପୁଚି ଖେଳିବାକୁ ମନ ଗୋ, ଫୁଲ ବଉଳ ବେଣୀ...

ଆଜି କୁମାର ପୂର୍ଣ୍ଣିମା । କୁମାରୀମାନଙ୍କ ପର୍ବ । ଏନେଇ ସକାଳୁ ସକାଳୁ ଚଳଚଞ୍ଚଳ ହୋଇଉଠିଛି ଗାଁ ଗଣ୍ଡା । ଆଜି ବଡି ଭୋରରୁ ଉଠି ଗାଧୋଇ ପାଧୋଇ ନୂଆ ଡ୍ରେସ ପିନ୍ଧି ସୂର୍ଯ୍ୟ ପୂଜା କରିଛନ୍ତି କୁମାରୀ କନ୍ୟା । ଓଡିଶାର ବିଭିନ୍ନ ସ୍ଥାନରେ କୁମାରୀ ଚଉରା ମୂଳେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଆଞ୍ଜୁଳା ଟେକିଛନ୍ତି । ଭଲ ବର ପାଇବା ପାଇଁ କୁମାର ପୂର୍ଣ୍ଣିମା ପାଳନ କରାଯାଉଥିବା ବିଧି ରହିଛି । ସକାଳେ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମଧ୍ୟ ଚନ୍ଦ୍ର ପୂଜା କରିବେ କୁମାରୀ । ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା କରି କରି କାର୍ତ୍ତିକେୟଙ୍କ ଭଳି ବର ମନାସିବେ । କାର୍ତ୍ତିକେୟଙ୍କ ଭଳି ସୁନ୍ଦର ବର ଲଭିବା ଉଦ୍ଦେଶ୍ୟରେ ଘରର ଅବିବାହିତ ଝିଅମାନେ ଚନ୍ଦ୍ର ପୂଜା କରିଥାନ୍ତି । ମୁଖ୍ୟତଃ ଏହା କୁମାରୀମାନଙ୍କ ପର୍ବ ହୋଇଥିବାରୁ ଏହାକୁ କୁମାରପୂର୍ଣ୍ଣିମା କୁହାଯାଏ ।

କୁମାରଙ୍କ ପାଇଁ କୁମାର ପୂର୍ଣ୍ଣିମା, ସଜବାଜ ହୋଇ ଉପାସରେ ସାରା ଓଡିଶାର କୁମାରୀ

ପୂଜାବିଧି:

ଆଜି ବଡି ଭୋରରୁ କୁମାରୀମାନେ ଆଞ୍ଜୁଳି ଟେକିଛନ୍ତି । ତେବେ ଓଡିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ ଝିଅମାନେ ଦିନସାରା ଉପବାସ ରହିଥାନ୍ତି । ଦିନରେ ସୂର୍ଯ୍ୟପୂଜା ପରେ ସନ୍ଧ୍ୟାରେ ସେମାନେ ଚଉରା ମୂଳେ ମୁରୁଜ ପକାଇ ଫୁଲ ଓ ସିନ୍ଦୁରରେ ସଜାଇଥାନ୍ତି । ଏହାପରେ ଚଉରା ଆଗରେ ପିଢାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ ଓ ବରକୋଳି ପତ୍ର ରଖିଥାନ୍ତି । ଭୋଗ ପାଇଁ ଖଇ, ନଡିଆ, କଦଳୀ, ସେଓ ,ଛେନା, ଦହି, କ୍ଷୀର, କାକୁଡି, ମହୁ ଆଦି ଅନେକ ପ୍ରକାର ଜିନିଷରେ ଏକ ଚକଟା ପ୍ରସ୍ତୁତ କରନ୍ତି । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହାପରେ ଚନ୍ଦ୍ରଙ୍କୁ ଚାନ୍ଦ ଚକଟା ଅର୍ପଣ କରାଯାଇ ପୂଜା କରାଯାଏ । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ ନିଜର ସାରା ଦିନରେ ଉପବାସ ଭାଙ୍ଗିଥାନ୍ତି । ଏହାପରେ ଆରମ୍ଭ ହୁଏ ନାଚଗୀତ । କୁଆଁର ପୁନେଇ ଜହ୍ନ ଗୋ...ଗୀତ ଗାଇ ପୁଚି ଖେଳିଥାନ୍ତି ଝିଅମାନେ । ଝିଅଙ୍କ ନାଚଗୀତ ଓ ଖେଳରେ ଫାଟି ପଡେ ଗାଁ ଦାଣ୍ଡ ।

ଇତିହାସ:

ଓଡିଶାରେ ଏକ ବିଶେଷ ପର୍ବ କୁମାର ପୂର୍ଣ୍ଣିମା । ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଓଡିଆ ଝିଅମାନେ ଏହି ଦିନ ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକେୟଙ୍କର ପୂଜା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ନିଜ ପାଇଁ ସୁନ୍ଦର ପୁରୁଷ କାମନା କରିଥାନ୍ତି । କାର୍ତ୍ତିକେୟ ଇଶ୍ବରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୂରାଣରେ ବର୍ଣ୍ଣିତ ଅଛି । ତେଣୁ କାର୍ତ୍ତିକେୟଙ୍କ ଭଳି ଜୀବନସାଥି ପାଇବା ପାଇଁ କୁମାରୀ ମାନେ ଏହି ପୂଜା କରିଥାନ୍ତି । ସେହିପରି ଭାଦ୍ରବ ପୂର୍ଣ୍ଣିମା ଠାରୁ କୁମାର ପୂର୍ଣ୍ଣିମା ଯାଏଁ କୁମାରୀ କନ୍ୟା ଏକାଠି ହୋଇ ଜହ୍ନି ଓଷା କରନ୍ତି । ଏହି ଓଷାର ଉଦଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ ।

ଏହିଦିନ ଓଡିଶାର ବିଭିନ୍ନ ସ୍ଥାନରେ ମା' ଗଜଲକ୍ଷ୍ମୀଙ୍କ ପୂଜା ଧୂମଧାମରେ ପାଳିତ ହୋଇଥାଏ । ଓଡିଶାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଆନ୍ତି ଧନଦାତ୍ରୀ । ଗାଁ ଗଣ୍ଡାରେ ମଧ୍ୟ ଅବିବାହିତ ଝିଅମାନେ ବହୁ ଆଡମ୍ବରରେ ଲକ୍ଷ୍ମୀ ପୂଜା କରିଥାନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 20, 2021, 2:25 PM IST

ABOUT THE AUTHOR

...view details